କ୍ୟାମେରାମ୍ୟାନ ମାନସଙ୍କ ପତ୍ନୀଙ୍କ ବିସ୍ଫୋରକ ବୟାନ୍: ହତ୍ୟା ପଛରେ ରହିଛି ରାଜ୍ୟର ଦୁଇଜଣ ମନ୍ତ୍ରୀଙ୍କ ହାତ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ଏକ ନୂଆ ଅପଡେଟ୍ ଆସିଛି । ମାନସଙ୍କ ପତ୍ନୀ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ମାନସଙ୍କ ହତ୍ୟା ପଛରେ ରାଜ୍ୟର ଦୁଇଜଣ ମନ୍ତ୍ରୀଙ୍କ ହାତ ରହିଛି । ସେମାନେ ହେଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା । ଏଥିସହ ଏହି ଘଟଣା ପଛରେ ଆହୁରି ଅନେକ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କର ଲିଙ୍କ ରହିଛି । ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ନେତାମାନେ ବୃଦ୍ଧାଶ୍ରମରେ କଳାକାରନାମା କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ମାନସଙ୍କ ପତ୍ନୀଙ୍କ ସହିତ ତାଙ୍କର ପରିବାରବର୍ଗ ମଧ୍ୟ ସମାନ ଧରଣର ଅଭିଯୋଗ ଆଣିଛନ୍ତି । ଉଭୟେ ଦିବ୍ୟଶଙ୍କର ଓ ପ୍ରତାପ ରାଜ୍ୟର ଦୁଇଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିବାରୁ ମାନସଙ୍କ ପରିବାରବର୍ଗଙ୍କ ପକ୍ଷରୁ ଅଣାଯାଇଥିବା ଏହି ଅଭିଯୋଗ ବହୁ ଗୁରୁତ୍ୱ ବହନ କରୁଛି ।

ମାନସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ରହିଛନ୍ତି । ଆଜି ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଅନ୍ୟପଟେ ଗତକାଲି ଦୁଇ ଅଭିଯୁକ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ମାନସଙ୍କୁ ହତ୍ୟା କରିବା ସହ ନିର୍ଯାତନା ଦେବା ପଛରେ ଏହି ଦୁଇଙ୍କର ହାତ ରହିଥିଲା । ଦିନକୁ ଦିନ ଏହି ମାମଲାରେ ନୂଆ ନୂଆ ଗୁମର ସବୁ ଖୋଲୁଛି ।