fbpx

ରାଜସ୍ଥାନ ରାଜ୍ୟସଭା ନିର୍ବାଚନରେ ବଡ଼ ଗେମ ପ୍ଲାନ୍: କଂଗ୍ରେସର ଖେଳ ବିଗାଡ଼ିବେ ସୁଭାଷ ଚନ୍ଦ୍ରା, ଜାଣନ୍ତୁ କିପରି?

ଜୟପୁର: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ରୋମାଞ୍ଚକର ହୋଇଛି । ଶିଳ୍ପପତି ତଥା ମିଡିଆ ଟାଇକୁନ ସୁଭାଷ ଚନ୍ଦ୍ରା ବିଜେପି ପ୍ରାର୍ଥୀ ଭାବେ ଫର୍ମ ପୂରଣ କରିଛନ୍ତି । ଏବେ ଚତୁର୍ଥ ଆସନ ପାଇଁ ଏଠାରେ ମୁକାବିଲା ହେବ । ପୂର୍ବରୁ କଂଗ୍ରେସ ୩ ଓ ବିଜେପି ଜଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । କିନ୍ତୁ ସୁଭାଷ ଚନ୍ଦ୍ରାଙ୍କ ଏଣ୍ଟ୍ରି ଯୋଗୁଁ ଲଢ଼େଇ ଆହୁରି ରୋଚକ ହୋଇଛି । ଗତଥର ଚନ୍ଦ୍ରା ହରିୟାଣାରୁ ନିର୍ଦଳୀୟ ନିର୍ବାଚନ ଜିତିଥିଲେ । ଅବଶ୍ୟ ସେବେ ବି ଚନ୍ଦ୍ରା ବିଜେପିକୁ ସମର୍ଥନ କରିଥିଲେ ।

ବିଜେପି ସମର୍ଥନରେ ଇସେଲ ଗ୍ରୁପ୍ର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରା ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ପାଇଁ ଚତୁର୍ଥ ପ୍ରାର୍ଥୀ । ସୁଭାଷ ଚନ୍ଦ୍ରା କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଚ୍ୟାଲେଞ୍ଜ କରିବେ । ସେ ଉତ୍ତର ପ୍ରଦେଶର କଂଗ୍ରେସ ନେତା । କିନ୍ତୁ ଦଳ ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବ ବୋଲି ଘୋଷଣା କରିଛି ।

ରାଜସ୍ଥାନରେ ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ୪୧ ଖଣ୍ଡ ଭୋଟ ଦରକାର । ଜିତିବା ପାଇଁ ସୁଭାଷ ଚନ୍ଦ୍ରାଙ୍କୁ ୧୧ ଅତିରିକ୍ତ ଭୋଟ୍ ଆବଶ୍ୟକ । କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୧୫ଟି ଅତିରିକ୍ତ ଭୋଟ୍ ଆବଶ୍ୟକ ।

କଂଗ୍ରେସ ପାଖରେ ୧୦୮ ବିଧାୟକ ରହିଥିବା ବେଳେ ବିଜେପି ପାଖରେ ୭୧ ଜଣ ସଦସ୍ୟ ରହିଛନ୍ତି । ବିଜେପିର ଜଣେ ପ୍ରାର୍ଥୀ ବେଶ ଆରାମରେ ଜିତି ପାରିବେ । ଏହାପରେ ଦଳ ପାଖରେ ଆଉ ୩୦ଟି ଭୋଟ ରହିବ । କିନ୍ତୁ ଦ୍ୱିତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିକୁ ଅତିରିକ୍ତ ଭାବେ ୧୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ରାଜସ୍ଥାନ ବିଧାନସଭାରେ ୧୩ ଜଣ ସ୍ୱାଧୀନ ବିଧାୟକ ରହିଥିବା ବେଳେ ଆରଏଲପିରୁ ୨ ଜଣ, ବିଟିପିରୁ ୨ ଜଣ ଓ ସିପିଏମର ୨ ଜଣ ସଦସ୍ୟ ରହିଛନ୍ତି । ଏହି ବିଧାୟକମାନେ ଯାହାକୁ ବି ସମର୍ଥନ କରିବେ, ସେମାନେ ଜିତିବେ ।

ସେହିପରି କଂଗ୍ରେସ ବେଶ ଆରାମରେ ୨ଟି ରାଜ୍ୟସଭା ଆସନ ଜିତିବ । କିନ୍ତୁ ତୃତୀୟ ଆସନ ପାଇଁ ଦଳକୁ ଅତିରିକ୍ତ ୧୫ ଜଣ ବିଧାୟକଙ୍କ ସମର୍ଥନ ଜରୁରୀ । ଏପରି ସ୍ଥିତିରେ ଛୋଟ ଛୋଟ ଦଳ ଓ ସ୍ୱାଧୀନ ବିଧାୟକମାନେ କିଙ୍ଗ ମେକର ବନିବେ ।

ଏପରି ହେଲେ ବିଜେପିକୁ ଏହା ଫାଇଦା ଯୋଗାଇବ । ସେହିପରି କଂଗ୍ରେସର ୩ ରାଜ୍ୟସଭା ପ୍ରାର୍ଥୀ ରାଜସ୍ଥାନ ବାହାରର । ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି । କଂଗ୍ରେସ ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ ଓ ପ୍ରମୋଦ ତିୱାରୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ଘନଶ୍ୟାମ ତିୱାରୀଙ୍କୁ ରାଜ୍ୟସଭା ଟିକେଟ ଦେଇଛି ।

 

Get real time updates directly on you device, subscribe now.