fbpx

ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ କୋଟିପତି, ନିରଞ୍ଜନଙ୍କ ନାଁରେ ୧୭ଟି ଅପରାଧିକ ମାମଲା

ଭୁବନେଶ୍ୱର: ରାଜ୍ୟ ସଭା ଆସନ ଲାଗି ୪ ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଞ୍ଜନ ବିଶି ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। କେବଳ ନିରଞ୍ଜନ ବିଶିଙ୍କୁ ବାଦ୍ ଦେଲେ ଅନ୍ୟ ୩ ଜଣ ପ୍ରାର୍ଥୀ କୋଟିପତି। ସୁଲତା, ସସ୍ମିତ ଓ ମାନସ ମଙ୍ଗରାଜ କୋଟିପତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ମାନସ ସର୍ବାଧିକ ଧନୀ ପ୍ରାର୍ଥୀ ବୋଲି ଜଣାପଡ଼ିଛି। ବିଜେଡିର ସମସ୍ତ ୪ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ସହ ଦେଇଥିବା ସତ୍ୟପାଠରେ ସ୍ଥାବର ଓ ଅସ୍ଥାବର ସମ୍ପତିର ବିସ୍ତୃତ ବିବରଣୀ ଦେଇଛନ୍ତି। ସୁଲତା, ମାନସ ଓ ସସ୍ମିତଙ୍କ ସତ୍ୟପାଠକୁ ସାର୍ବଜନୀନ କରାଯାଇଥିବା ବେଳେ ନିରଞ୍ଜନଙ୍କ ସତ୍ୟପାଠର ସୂଚନା ମିଳିପାରିନି।

ସତ୍ୟପାଠ ଅନୁସାରେ, ମାନସ ଓ ତାଙ୍କ ପତ୍ନୀଙ୍କ ନାଁରେ ସର୍ବାଧିକ ୮କୋଟି ଟଙ୍କାରୁ ଅଧିକ ସମ୍ପତି ରହିଛି। ମାନସଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତିର ପରିମାଣ ପ୍ରାୟ ସାଢ଼େ ୩ କୋଟି ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ନାଁରେ ପ୍ରାୟ ୪୮ କୋଟି ଟଙ୍କାର କରି ରହିଛି। ୨୦୨୧ ଡିସେମ୍ବରରେ ତାଙ୍କ ସ୍ତ୍ରୀ ୧ କୋଟି ଟଙ୍କାର ପ୍ରାୟ ୧୨ ଏକର ଜମି (୫ଟି ପ୍ଲଟ) କ୍ରୟ କରିଛନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ବର ଘାଟିକିଆଠାରେ ୨ଟି କୋଠା ରହିଛି, ଯାହାର ମୂଲ୍ୟ ସେମାନେ ୧.୮୯ କୋଟି ଟଙ୍କା ଦର୍ଶାଇଛନ୍ତି। ଉଭୟଙ୍କ ନାମରେ ମୋଟ ୨୬.୮୨ ଲକ୍ଷ ଟଙ୍କାର ଋଣ ରହିଛି। ୫୧ ବର୍ଷୀୟ ମାନସ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଉଭିଦ ବିଜ୍ଞାନରେ ଏମ୍ ଡିଗ୍ରୀ ହାସଲ କରିଥିବାବେଳେ ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ।

ସେହିପରି ସୁଲତା ଦେଓଙ୍କ ନାଁରେ ଭୁବନେଶ୍ବରରେ ୨ଟି ପ୍ଲଟ୍ ସମେତ ୧.୧୦ କୋଟି ଟଙ୍କାର ସମ୍ପରି ଓ ତାଙ୍କ ସ୍ଵାମୀଙ୍କ ନାଁରେ ୫୮ଲକ୍ଷ ଟଙ୍କାର ସମ୍ପତି ରହିଛି। ସୁଲତାଙ୍କର ଗୋଟିଏ ହୋଣ୍ଡାସିଟି କାର, ଗୋଟିଏ ବାଇକ ଥିବାବେଳେ ତାଙ୍କ ପାଖରେ ପ୍ରାୟ ୨୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। ବିଭିନ୍ନ ବ୍ୟାଙ୍କରେ ସେଭିଙ୍ଗସ୍ ଆକାଉଣ୍ଟରେ ପ୍ରାୟ ୨୧ଲକ୍ଷ ଟଙ୍କା ଥିବାବେଳେ ୧୦ଲକ୍ଷ ଟଙ୍କାର ଫିଲ୍ମ ଡିପୋଜିଟ୍ ଓ ସାଢେ ୧୦ଲକ୍ଷ ଟଙ୍କାର ବୀମା ମଧ୍ୟ ତାଙ୍କ ନାମରେ ରହିଛି। ତାଙ୍କ ସ୍ବାମୀ ଜଣେ ଠିକାଦାର ଓ ପୂର୍ତ୍ତ ବିଭାଗର ଦୁଇଟି ଠିକା କାର୍ୟ୍ୟ ନିକଟରେ କରିଥିବା ସେ ଦର୍ଶାଇଛନ୍ତି। ୪୯ ବର୍ଷୀୟା ସୁଲତା ବିଏ ପାସ୍ କରିଛନ୍ତି।

ସେହିପରି ସସ୍ମିତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପରି ପରିମାଣ ୧ କୋଟି ଟଙ୍କାରୁ ଅଧିକ ହେବ। ଅବଶ୍ୟ ୨୦୧୯ ଜୁନ୍‌ରେ ସେ ଦାଖଲ କରିଥିବା ସତ୍ୟପାଠ ତୁଳନାରେ ଏବେ ତାଙ୍କର ସମ୍ପତ୍ତି ପରିମାଣ ହ୍ରାସ ପାଇଛି। ସେତେବେଳେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୧.୨୫କୋଟି ଟଙ୍କା ଥିଲା। ଆଲ୍ଲାହାବାଦ ଏଗ୍ରିକଲଚର ଇନ୍‌ଷ୍ଟିଚ୍ୟୁଟରୁ ପିଏଚ୍‌ଡି କରିଥିବା ସସ୍ମିତଙ୍କ ସ୍ତ୍ରୀଙ୍କ ସମ୍ପରି ଇତିମଧ୍ୟରେ ବୃଦ୍ଧି ପାଇଛି। ତାଙ୍କ ସ୍ତ୍ରୀଙ୍କ ନାମରେ ଏବେ ପ୍ରାୟ ୧, ୫୭କୋଟି ଟଙ୍କାର ସମ୍ପତି ରହିଛି। ତାଙ୍କ ସ୍ତ୍ରୀଙ୍କ ନାମରେ ଉତ୍ତରପ୍ରଦେଶରେ ଏକ କୋଠା ମଧ୍ୟ ଅଛି। ସହିତଙ୍କ ନାମରେ କୌଣସି ଅପରାଧିକ ମାମଲା ନ ଥିବା ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। କେବଳ ନିରଞ୍ଜନ ବିଶିଙ୍କ ନାଁରେ ୧୭ଟି ଆପରାଧିକ ମାମଲା ଥିବାବେଳେ ଅନ୍ୟ ୩ ପ୍ରାର୍ଥୀଙ୍କ ନାମରେ କୌଣସି ଆପରାଧିକ ମାମଲା ନ ଥିବା ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି।

Get real time updates directly on you device, subscribe now.