ଆମେରିକା: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ନାମା ଘୋଷଣା ହୋଇଯାଇଛି । ଟ୍ରମ୍ପଙ୍କ ବିଜୟ ସିନା ତାଙ୍କ ସମର୍ଥକଙ୍କ ପାଇଁ ଖୁସି ଆଣିଛି କିନ୍ତୁ କିଛି ରାଷ୍ଟ୍ରର ଚିନ୍ତା ମଧ୍ୟ ବଢ଼ାଇଦେଇଛି । ଟ୍ରମ୍ପଙ୍କ ବେପରୱା ନୀତି ବିଷୟରେ ଅଳ୍ପେ-ବହୁତ ସଭିଏଁ ଜାଣନ୍ତି । କେତେବେଳେ କେଉଁ ବଡ଼ ନିଷ୍ପତ୍ତି ନେବେ ତାହା ତାଙ୍କୁ ହିଁ ଜଣା । କିନ୍ତୁ ଆମେ ଗୋଟିଏ କଥା କହିପରିବା ଯେ, ଟ୍ରମ୍ପଙ୍କ ବିଜୟ ଏବେ ୟୁକ୍ରେନ୍ର ଚିନ୍ତା ବଢ଼ାଇ ଦେଇଛି । କାରଣ ଋଷିଆ –ୟୁକ୍ରେନ୍ ଯୁଦ୍ଧରେ ଆମେରିକା ୟୁକ୍ରେନ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଉଥିଲା । ଯାହା ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ବନ୍ଦ ହୋଇଯିବାର ଅଧିକ ଆଶଙ୍କା ରହିଛି । ରିପବ୍ଲିକାନ୍ ପାର୍ଟିରୁ ଟ୍ରମ୍ପ ବୁଧବାର ବିଜୟୀ ଘୋଷଣା ହେବା ପରେ ଜେଲେନସ୍କି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ବୁଧବାର ଟ୍ରମ୍ପ ନିଜ ପ୍ରଥମ ଭାଷଣରେ ହିଁ ୟୁକ୍ରେନ୍ ସମ୍ପର୍କରେ କହିଥିଲେ । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଜଣେ ଭଲ ସେଲ୍ସମ୍ୟାନ୍ ବୋଲି ଟ୍ରମ୍ପ ନିଜ ସମ୍ବୋଧନରେ କହିଥିଲେ ।
ଏହାଛଡ଼ା ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ମଧ୍ୟ ଟ୍ରମ୍ପ ଋଷ-ୟୁକ୍ରେନ୍ ଯୁଦ୍ଧ ସମାଧାନ କରିବା ଜରୁରୀ ବୋଲି ବାରମ୍ବାର କହୁଥିଲେ । ଏଥିସହ ସେ କ୍ଷମତାକୁ ଆସିଲେ ମାତ୍ର ୨୪ ଘଣ୍ଟାରେ ଯୁଦ୍ଧ ସମାପ୍ତ କରିଦେବେ ବୋଲି ଦୃଢ଼ୋକ୍ତି ମଧ୍ୟ ଦେଇଥିଲେ । ସେ ପୂର୍ବର ବାଇଡେନ୍ ସରକାଙ୍କ ଉପରେ ଆରୋପ ଲଗାଇ କହିଥିଲେ ଯେ, ବର୍ତ୍ତମାନ ସମୟରେ ଯେତେ ନେତା ଅଛନ୍ତି ସେମାନଙ୍କ ଭିତରୁ ଜେଲେନସ୍କି ସବୁଠୁ ଭଲ ସେଲ୍ସମ୍ୟାନ୍ । ସବୁବେଳେ ସେ ଆମ ଦେଶକୁ ଆସୁଛନ୍ତି ଆଉ ୬୦ ବିଲିୟନ୍ ଡଲାର ନେଇ ଚାଲିଯାଉଛନ୍ତି । ନିକଟରେ ଆମେରିକା ଆସି ୬୦ ବିଲିୟନ୍ ଡଲାର ନେଇ ଗଲାପରେ, ଆଉ ୬୦ ବିଲିୟନ୍ ଡଲାର ଆବଶ୍ୟକତା ଥିବା କହିଥିଲେ । ଏ ଧାରା କେବେ ସରିବ ନାହିଁ ଏହା ଏମିତି ଚାଲି ରହିବ ଯଦି ସରକାର ପରିବର୍ତ୍ତନ ନ କରାଯାଏ । ଆମେରିକାବାସୀ ଯେଉଁ ଟ୍ୟାକ୍ସ ଦେଉଛନ୍ତି, ତାହା ସେମାନଙ୍କ ଉପରେ ଖର୍ଚ୍ଚ କରାଯାଉ ନ ଥିବା ଟ୍ରମ୍ପ ଆରୋପ ଲଗାଇଥିଲେ । ଟ୍ରମ୍ପ ରାଷ୍ଟ୍ରପତି ପଦ ହାସଲ କରିବା ପରେ ଆମେରିକା ୟୁକ୍ରେନ୍କୁ ଆର୍ଥିକ ଓ ସାମରିକ ସାହାର୍ଯ୍ୟ ଯୋଗାଇବ କି ନାହିଁ ତାହା ତ ସ୍ପଷ୍ଟ ହୋଇନାହିଁ । ଯେତେଦୂର ଆଶା ଯୁଦ୍ଧ ବନ୍ଦ କରିବା ଲାଗି ଖୁବ୍ ଶୀଘ୍ର ଟ୍ରମ୍ପ ସରକାର କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ।