ଆମେରିକାର ଚେତାବନୀ ପରେ ବନ୍ଦ ହେଲା କିଭରେ ଥିବା ୪ ଦୂତାବାସ

ନୂଆଦିଲ୍ଲୀ- ୟୁକ୍ରେନ ଉପରେ ଋଷର ଏୟାର ଷ୍ଟ୍ରାଇକ ଆଶଙ୍କା ବଢିବା ପରେ ଆମେରିକା ସେଠାରେ ତାର ଗତିବିଧିକୁ ସାମୟିକ ଭାବେ ବନ୍ଦ କରିଦେଇଛି । ଏନେଇ ଆମେରିକା ଦୂତାବାସକୁ ଏକ ସୂଚନା ମିଳିଛି । ଏଥିସହ କିଭରେ ଥିବା ଆମେରିକାର ଦୂତାବାସକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଆମେରିକା ପରେ ପରେ ଇଟାଲି, ସ୍ପେନ, ଗ୍ରୀକ ମଧ୍ୟ କିଭରେ ଥିବା ସେମାନଙ୍କ ଦୂତାବାସ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

ଋଷ- ୟୁକ୍ରେନ ଯୁଦ୍ଧ ଭିତରେ ଏହି ତଥ୍ୟ ଜାରି କରାଯାଇଛି । ବୁଧବାର ୟୁକେନ ଋଷର ଆକ୍ରମଣକୁ ସମ୍ମୁଖୀନ କରିବାର ୧୦୦୦ ଦିନ ପୂରା କରିଛି । ଏହି ଯୁଦ୍ଧ ୨୦୨୨ ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିଲା । ତେବେ ଦୂତାବାସ ବନ୍ଦକୁ ନେଇ ଗ୍ରୀକ ଆମ୍ବାସୀ ପକ୍ଷରୁ ଅନ୍ତର୍ଜାତୀୟ ଏଜେନ୍ସି ସିଏନଏନକୁ କୁହାଯାଇଛି କି, ସୁରକ୍ଷା ଦୃଷ୍ଟିରୁ ବୁଧବାରରୁ ଦୂତାବାସକୁ ବନ୍ଦ କରିଦିଆଯାଇଛି । ସେହିପରି ସ୍ପେନର ଦୂତାବାସ ମଧ୍ୟ ୟୁକ୍ରେନ ଉପରେ ଭାରି ଏୟାରଷ୍ଟ୍ରାଇକ ନେଇ ସୂଚନା ପାଇବା ପରେ ବନ୍ଦ ହୋଇଛି ।

ସେହିପରି କିଭରେ ଥିବା ଇଟାଲି ଦୂତାବାସ ତରଫରୁ ଘୋଷଣା କରାଯାଇଛି କି, ଦୂତାବାସର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଆଜିଠାରୁ ବନ୍ଦ କରିଦିଆଯାଇଛି । ୟୁଏସ ଦୂତାବାସ ତରଫରୁ ହେଭି ଏୟାରଷ୍ଟ୍ରାଇକ ନେଇ ସୂଚନା ଦିଆଯିବା ପରେ ଏହି ପଦକ୍ଷେପ ନିଆଯାଇଛି । ଇଟାଲି ଦୂତାବାସର ୱେବସାଇଟରେ ଉଲ୍ଲେଖ ରହିଛି କି, ୟୁଏସ ଦୂତାବାସ ତରଫରୁ ତାର ୱେବସାଇଟରେ ଉଲ୍ଲେଖ କରାଯାଇଛି କି ନଭେମ୍ବର ୨୦ରେ ଆକାଶ ମାର୍ଗରୁ ଭାରି ଆକ୍ରମଣ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟି ରଖି ଲୋକଙ୍କ ପାଇଁ ଆଜି ଦୂତାବାସ ବନ୍ଦ କରାଯାଇଥିବା କହିଛି ଇଟାଲି । ୪ ଦେଶ ସେମାନଙ୍କ ଦୂତାବାସ କିଭରେ ବନ୍ଦ କରିଥିବା ବେଳେ କିନ୍ତୁ ଇଜରାଇଲ କହିଛି କି, ସେ ତାର ଦୂତାବାସ ବନ୍ଦ କରିବ ନାହିଁ । ଇଜରାଏଲ ଦୂତାବାସ ତରଫରୁ କୁହାଯାଇଛି କି, ଆମେ ଯଥାରିତି କାମ କରୁଛୁ ।

ମଙ୍ଗଳବାର ଋଷିଆ ତରଫରୁ କୁହାଯାଇଥିଲା କି, ୟୁକ୍ରେନ ସେନା ୬ଟି ଆମେରିକୀୟ ଶକ୍ତିଶାଳୀ ମିଶାଇଲ ଋଷର ବ୍ର୍ୟାନ୍ସକ ଅଞ୍ଚଳରେ ଉତ୍କ୍ଷେପଣ କରିଥିଲା, ସେଥିରୁ ୫ଟିକୁ ନିରସ୍ତ୍ର କରାଯାଇଥିଲା । ଗୋଟିଏ ସେଠାରେ ଥିବା ବୈଷୟିକ ମିଲିଟାରୀ ଯୋନରେ ଧ୍ୱଂସ କରିଛି ।