ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସେଣ୍ଟରରେ ରହିଛି ୧୦ଟି ବିଭାଗର ସ୍କିଲ ଟ୍ରେନିଂ ବ୍ୟବସ୍ଥା
ଦେଓଗଡ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୂର୍ବାହ୍ନରେ ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି। ଏହି ଅବସରରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ତେବେ ଏହି ସେଣ୍ଟରରେ ୧୦ଟି ବିଭାଗର ସ୍କିଲ ଟ୍ରେନିଂର ବ୍ୟବସ୍ଥା କରଯାଇଛି। ଏକବିଂଶ ଶତାବ୍ଦୀର ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍କିଲ୍ ଇଣ୍ଡିଆ ସେଂଟର ଖୋଲାଯାଇଛି। ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନେ ଏହାଦ୍ୱାରା ନିଜର ଦକ୍ଷତା ବଢାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସେପଟେ ସେଣ୍ଟରର ଉଦଘାଟନ ପରେ ଦେବଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୋଗ ଦେଇଛନ୍ତି।
ସୂଚନା ଥାଉକି, ଗତ ୨୦ ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ କରିବା ପରେ ଗତକାଲି ଢେଙ୍କାନାଳରେ ଏହି ସେଣ୍ଟରର ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ଆକାଂକ୍ଷା ଓ ରୁଚିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ର ସ୍ଥାପନା କରାଯାଇଛି । ଏହି କେନ୍ଦ୍ରରେ ଡିଜିଟାଲ ଦୁନିଆ ତଥା ସର୍ଭିସ ଇଣ୍ଡଷ୍ଟ୍ରିର ଆଧୁନିକ ସ୍କିଲିଂ ଟ୍ରେନିଂର ବ୍ୟବସ୍ଥା ଅଛି ।