fbpx

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ପ୍ରକାଶ: ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ଭଳି ୫ଟି ବିଷୟକୁ ଆଧାର କରି କରାଯାଇଥିବା ପର୍ଫମାନ୍ସ ଗ୍ରେଡିଂ ତଥା ମୂଲ୍ୟାୟନ ପ୍ରକ୍ରିୟାରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ରିପୋର୍ଟ ମୁତାବକ, ୨୦୧୯-୨୦ ଶିକ୍ଷାବର୍ଷ ତୁଳନାରେ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶର ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ ରଖିଛି । ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବେଶ୍ ଆଗକୁ ବଢ଼ିବା ସହ ସ୍କୁଲ୍ ଶିକ୍ଷାର ରୂପାନ୍ତରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ପିଜିଆଇ ୨୦୨୦-୨୧ରେ ୧୦୦୦ ପଏଂଟ୍ ରୁ ଓଡ଼ିଶା ମୋଟ ୮୭୭ ପଏଂଟ୍ ସ୍କୋର କରିଥିବାବେଳେ ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଉତରପ୍ରଦେଶ, ହରିୟାଣା, ପଣ୍ଡିଚେରୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାବେଳୀ ଏବଂ ଦାମନ ଡିଉ ସହ ଲେବୁଲ୍ -୩ରେ ରହିଛି । ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ୧୮୦ରୁ ୧୩୮, ବିଦ୍ୟାଳୟ ପ୍ରବେଶ ସୁବିଧାରେ ୮୦ରୁ ୭୧, ସୁଦୃଢ ଭିତିଭୂମିରେ ୧୫୦ରୁ ୧୩୩, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ୨୩୦ରୁ ୨୨୧ ଏବଂ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ୩୬୦ରୁ ୩୧୪ ପଏଣ୍ଟ ପାଇଛି ।

Get real time updates directly on you device, subscribe now.