fbpx

ଓଡ଼ିଶାରେ ପୁଣି ମାତିଲା ଅଜଣା ଜନ୍ତୁ, ନେଲା ଅନେକ ଜୀବନ: ୨୦୨୨ ଓ ୨୦୨୩ରେ ଆତଙ୍କ ଖେଳାଇବା ପରେ ୨୦୨୪ରେ ପୁଣି ଆସିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଜଣା ଜନ୍ତୁକୁ ନେଇ ପୁଣି ଥରେ ଓଡ଼ିଶାରେ ଆତଙ୍କ ଖେଳିଯାଇଛି । ଗତବର୍ଷ ଓ ତା’ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଜଣା ଜନ୍ତୁ କିଛି ଗୃହପାହିତ ପଶୁଙ୍କ ଜୀବନ ନେଇଯାଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର ନନ୍ଦିନୀ ଗାଁର ଲୋକମାନେ ଶୋଇଥିବା ସମୟରେ ଏହି ଅଜଣା ଜନ୍ତୁ ୫ଟି ମେଣ୍ଢାଙ୍କ ଜୀବନ ନେଇଯାଇଛି । ଏଥିସହିତ ୩ଟି ମେଣ୍ଢାଙ୍କୁ ଖଣ୍ଡିଆ ଖାବରା ମଧ୍ୟ କରିଦେଇଛି । ତେବେ ମେଣ୍ଢା ମରିଯାଇଥିବାରୁ ଏବେ ପୀଡ଼ିତ ପରିବାର ନିଜର ଭରଣପୋଷଣ ନେଇ ମୁଣ୍ଡରେ ହାତ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ଗତ ୨୦୨୨ ମସିହାରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ । କଟକର ନିଆଳିରେ ଦେଖିବାକୁ ମିଳିଥିଲା ଏଭଳି ଏକ ଘଟଣା । ୨୦୨୧ରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ ଏକ ଅଜଣା ଜନ୍ତୁର ଆକ୍ରମଣରେ ୧୫ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିଲେ । ଅଜଣା ଜନ୍ତୁକୁ ଠାବ କରିବାକୁ ବନ ବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିଲା ।

ସେହିପରି ୨୦୨୩ରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗ୍ରାମପଞ୍ଚାୟତରେ ଅଜଣା ଜନ୍ତୁ ଆକ୍ରମଣରେ ୪୦ଟି ମେଣ୍ଢା ପ୍ରାଣ ହରାଇଥିଲେ । ମୃତ ମେଣ୍ଢାଙ୍କ ବେକରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଗତବର୍ଷ ରାୟଗଡ଼ା ଜିଲ୍ଲାର ଗଞ୍ଜୁଗୁଡ଼ାରେ ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ଚଳିତ ବର୍ଷ ଅଜଣା ଜନ୍ତୁ ପୁଣି କିଛି ମେଣ୍ଢା ଶିକାର କରିବାର ଆଶଙ୍କା କରି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏହି ଅଜଣା ଜନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନକୁ କେଉଁଠୁ ଆସୁଛି ତାହା ଏବେ ରାଜ୍ୟବାସୀଙ୍କ ପାଇଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.