fbpx

ଅଗଷ୍ଟ ୧୫ର ଏହି ୧୦ଟି ଅଜଣା ତଥ୍ୟ ବିଷୟରେ ଆପଣ ଜାଣନ୍ତି କି?

ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ମହାତ୍ମା ଗାନ୍ଧୀ ନେଇଥିଲେ, ଏକଥା ସମସ୍ତେ ଜାଣନ୍ତି । ମାତ୍ର ଏହା ପଛର ଅନେକ କଥା ବୋଧହୁଏ ଅନେକଙ୍କୁ ଅଗୋଚର ଥିବ । ଆଜି ବି ଏପରି କିଛି କଥା ଜନମାନସରେ ଲୁଚି ରହିଛି, ଯାହା ଶୁଣିଲେ ଯେ କେହି ବି ତାଜୁବ୍ ହୋଇଯିବ । ଗାନ୍ଧୀଜୀ ସ୍ୱାଧୀନତା ଦିବସର ମହାସମାରୋହରେ ସାମିଲ୍ ନହୋଇ ନିଜକୁ ଦୂରେଇ ରଖିବା ହେଉଛି ସେଥିମଧ୍ୟରୁ ଗୋଟିଏ ଅଜଣା କଥା । ଏହାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଅନେକ ପ୍ରଶ୍ନ ଉଠିଛି । ଆସନ୍ତୁ ଜାଣିବା ଏପରି ୧୦ଟି ଅଜଣା କଥା ବିଷୟରେ ।
୧- ଦେଶ ସ୍ୱାଧୀନତା ହାସଲ କରିବା ଦିନ ମହାତ୍ମା ଗାନ୍ଧୀ ଦିଲ୍ଲୀରେ ଉପସ୍ଥିତ ନଥିଲେ । ସେ ଦିଲ୍ଲୀରୁ ହଜାର ହଜାର କିଲୋମିଟର ଦୂର ପଶ୍ଚିମବଙ୍ଗର ନୋଆଖଲିରେ ଥିଲେ । ସେଠାରେ ସେ ହିନ୍ଦୁ ଓ ମୁଲସମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସାକୁ ରୋକିବା ପାଇଁ ଅନଶନରେ ବସିଥିଲେ ।

୨- ଯେତେବେଳେ ଭାରତକୁ ସ୍ୱାଧୀନତା ଘୋଷଣା କରାଯିବାର ନିଷ୍ପତ୍ତି ନିଆଗଲା, ସେତେବେଳେ ଜବାହରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗାନ୍ଧୀଜୀଙ୍କୁ ଚିଠି ଲେଖି ପଠାଇଥିଲେ । ସେଥିରେ ଲେଖାଥିଲା, ଅଗଷ୍ଟ ୧୫ ହେଉଛି ଦେଶର ପ୍ରଥମ ସ୍ୱାଧୀନତା ଦିବସ । ଆପଣ ରାଷ୍ଟ୍ରପିତା ହିସାବରେ ଏଥିରେ ସାମିଲ ହୋଇ ଆଶିର୍ବାଦ ପ୍ରଦାନ କରନ୍ତୁ ।

୩- ଗାନ୍ଧୀଜୀ ଏହି ଚିଠିର ଉତ୍ତର ଦେଇ ଲେଖିଥିଲେ, ଯେତେବେଳେ କୋଲକତାରେ ହିନ୍ଦୁ-ମୁସଲମାନ ପରସ୍ପରର ଜୀବନ ନେବାକୁ ପଛାଉ ନାହାନ୍ତି, ସେତେବେଳେ ସ୍ୱାଧୀନତା ଦିବସର ଉତ୍ସବ ପାଳନ ପାଇଁ ସେ କେମିତି ଯାଇ ପାରିବେ । ଦଙ୍ଗା ରୋକିବା ପାଇଁ ସେ ନିଜର ଜୀବନ ଉତ୍ସର୍ଗ କରିପାରିବେ ବୋଲି ଗାନ୍ଧୀଜୀ ଲେଖିଥିଲେ ।

୪- ୧୪ ତାରିଖ ମଧ୍ୟରାତ୍ରିରେ ନେହେରୁ ଯେତେବେଳେ ଐତିହାସିକ ଭାଷଣ ପ୍ରଦାନ କରିଥିଲେ, ସେତେବେଳେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇନଥିଲେ । ଏହି ଭାଷଣକୁ ସାରା ଦୁନିଆ ଶୁଣିଥିଲେ ହେଁ ଗାନ୍ଧୀଜୀ ସେଦିନ ରାତି ୯ଟା ସମୟରେ ଶୋଇବାକୁ ଚାଲିଯାଇଥିଲେ ।

୫- ୧୯୪୭, ଅଗଷ୍ଟ ୧୫ରେ ଲର୍ଡ ମାଉଣ୍ଟବ୍ୟାଟନ ନିଜ ଦପ୍ତରରେ କାର୍ଯ୍ୟ କରିଥିଲେ । ଦ୍ୱିପ୍ରହରରେ ନେହେରୁ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିବା ସହ ପରେ ଇଣ୍ଡିଆ ଗେଟ୍ ନିକଟରେ ପ୍ରିସେଞ୍ଜ ଗାର୍ଡନରେ ଏକ ସଭାରେ ଉଦବୋଧନ ଦେଇଥିଲେ ।

୬- ପ୍ରତ୍ୟେକ ସ୍ୱାଧୀନତା ଦିବସରେ ଦେଶର ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରନ୍ତି । ମାତ୍ର ୧୯୪୭, ଅଗଷ୍ଟ ୧୫ରେ ଏପରି ହୋଇନଥିଲା । ଲୋକସଭା ସଚିବାଳୟର ଏକ ଶ୍ୱେତପତ୍ର ମୁତାବକ, ନେହେରୁ ୧୯୪୭ ଅଗଷ୍ଟ ୧୬ରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଥିଲେ ।

୭- ଭାରତରର ତତ୍କାଳୀନ ଭାଇସରୟ ଲର୍ଡ ମାଉଣ୍ଟବ୍ୟାଟନଙ୍କ ପ୍ରେସ୍ ସଚିବ କ୍ୟାମ୍ପବେଲ ଜନସନଙ୍କ ଅନୁଯାୟୀ, ମିତ୍ର ଦେଶର ସେନା ନିକଟରେ ଜାପାନ ଆତ୍ମସମର୍ପଣ କରିବାର ଦ୍ୱିତୀୟ ବର୍ଷ ଅଗଷ୍ଟ ୧୫ରେ ପୂରଣ ହେଉଥିଲା । ତେଣୁ ଏହି ଦିବସରେ ଭାରତକୁ ସ୍ୱାଧୀନ କରାଯାଇଥିଲା ।

୮- ଅଗଷ୍ଟ ୧୫ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେଖା ନିର୍ଦ୍ଧାରଣ ହୋଇ ନଥିଲା । ଅଗଷ୍ଟ ୧୭ରେ ଦୁଇଦେଶର ସୀମା ଭାବେ ରେଡକ୍ଲିଫ୍ ଲାଇନର ଘୋଷଣା ହୋଇଥିଲା ।

୯- ଭାରତ ଅଗଷ୍ଟ ୧୫ରେ ସ୍ୱାଧୀନତା ଲାଭ କରିଥିଲା, ମାତ୍ର ତା’ର କୌଣସି ଜାତୀୟ ସଙ୍ଗୀତ ନଥିଲା । ରବୀନ୍ଦ୍ରନାଥ ଟାଗୋର ଜନ-ଗଣ-ମନ ୧୯୧୧ରେ ଲେଖିଥିଲେ । ମାତ୍ର ୧୯୫୦ରେ ଏହା ସ୍ୱୀକୃତି ପାଇଥିଲା ।

୧୦- ଅଗଷ୍ଟ ୧୫ ଭାରତ ବ୍ୟତୀତ ଅନ୍ୟ ୩ଟି ଦେଶର ସ୍ୱାଧୀନତା ଦିବସ ଅଟେ । ୧୯୪୫ ଅଗଷ୍ଟ ୧୫ରେ ଦକ୍ଷିଣ କୋରିଆ, ୧୯୭୧ ଅଗଷ୍ଟ ୧୫ରେ ବାହରିନ, ୧୯୬୦ ଅଗଷ୍ଟ ୧୫ରେ କଙ୍ଗୋ ସ୍ୱାଧୀନତା ଲାଭ କରିଥିଲା ।

Get real time updates directly on you device, subscribe now.