fbpx

ଧ୍ୱନି ପ୍ରଦୂଷଣରେ ୟୁପିର ମୁରାଦାବାଦ ଦୁନିଆର ଦ୍ୱିତୀୟ ସବୁଠୁ ପ୍ରଦୂଷିତ ସହର: ୟୁଏନ ରିପୋର୍ଟ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁରାଦାବାଦ ସହର ଧ୍ୱନି ପ୍ରଦୂଷଣ ମାମଲାରେ ଦୁନିଆର ଦ୍ୱିତୀୟ ସବୁଠୁ ପ୍ରଦୂଷିତ ସହର ପାଲଟିଛି । ମୁରାଦାବାଦରେ ସର୍ବାଧିକ ୧୧୪ ଡେସିବଲ ଧ୍ୱନି ପ୍ରଦୂଷଣ ରେକର୍ଡ କରାଯାଇଛି । ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ(ୟୁଏନଇପି)ର ଏକ ସଦ୍ୟତମ ରିପୋର୍ଟରୁ ଏହାର ଖୁଲାସା ହୋଇଛି । ଏହି ରିପୋର୍ଟରେ ମୋଟ୍ ୬୧ ସହର ବିଷୟରେ ଉଲ୍ଲେଖ କରାଯାଇଛି ।

ଧ୍ୱନି ପ୍ରଦୂଷଣ ତାଲିକାରେ ବାଂଲାଦେଶ ରାଜଧାନୀ ଢାକା ପ୍ରଥମ ସ୍ଥାନରେ ରହିଛି । ଏହି ସହରର ସର୍ବାଧିକ ଡେସିବଲ ୧୧୯ ରେକର୍ଡ କରାଯାଇଛି । ଢାକା ଏବଂ ମୁରାଦାବାଦ ପରେ ତାଲିକାର ତୃତୀୟ ସ୍ଥାନରେ ୧୦୫ ଡେସିବଲ ସହ ଇସଲାମାବାଦ ରହିଛି । ଏହି ତାଲିକାରେ ଦକ୍ଷିଣ ଏସିଆର ମୋଟ୍ ୧୩ ସହରର ନାମ ରହିଛି । ଏଥିରୁ ୫ଟି ସହର ଭାରତର ରହିଛି । ମୁରାଦାବାଦ ବ୍ୟତୀତ କୋଲକାତା(୮୯ ଡେସିବଲ), ପଶ୍ଚିମବଙ୍ଗର ଆସନସୋଲ(୮୯ ଡେସିବଲ), ଜୟପୁର(୮୪ ଡେସିବଲ) ଓ ରାଜଧାନୀ ଦିଲ୍ଲୀ(୮୩ ଡେସିବଲ)ର ନାମ ସାମିଲ ।

ଉଲ୍ଲେଖନୀୟ ୭୦ ଡେସିବଲରୁ ଅଧିକ ଧ୍ୱନି ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ୧୯୯୯ର ଗାଇଡଲାଇନରେ ଜନବହୁଳପୂର୍ଣ୍ଣ ଅଞ୍ଚଳ ପାଇଁ ୫୫ ଡେସିବଲ ସୁପାରିଶ କରିଥିଲେ । ଟ୍ରାଫିକ ଏବଂ ବ୍ୟବସାୟିକ ଅଞ୍ଚଳ ପାଇଁ ଏହାର ମାନକ ୭୦ ଡେସିବଲ ନିର୍ଦ୍ଧାରିତ କରାଯାଇଥିଲା ।

ୟୁଏନଇପିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଇଙ୍ଗର ଆଣ୍ଡରସନ କହିଛନ୍ତି, ଧ୍ୱନି ପ୍ରଦୂଷଣ ନିଦ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ ଏଥିରେ ଅନେକ ଜୀବଜନ୍ତୁ ପ୍ରଜାତିର ସରଞ୍ଚନା ଏବଂ ସେମାନଙ୍କର ଶୁଣିବା କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ । ଏକ ସରକାରୀ ରିପୋର୍ଟ ଅନୁଯାୟୀ, ୟୁପି ପୋଲିସର ଜରୁରୀକାଳୀନ ସେବା ୨୦୨୧ର ରିପୋର୍ଟରେ ଧ୍ୱନି ପ୍ରଦୂଷଣର ୧୪ ହଜାରରୁ ଅଧିକ ମାମଲା ରୁଜୁ କରାଯାଇଛି । ଏଥିରେ ସର୍ବାଧିକ ଅଭିଯୋଗ ବିବାହରେ ରାତି ୧୦ଟା ପରେ ବାଜୁଥିବା ସାଉଣ୍ଡକୁ ନେଇ ହୋଇଛି ।

Get real time updates directly on you device, subscribe now.