ବାଇଡେନ ପ୍ରଶାସନ ଶତ୍ରୁମାନଙ୍କ ସହ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ; ଆମେରିକା ବୈଦେଶିକ ସଚିବ
ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ଗାଜା ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ । ସେହିପରି ଘନ ଘନ ଏୟାର ଷ୍ଟ୍ରାଇକ ରଖିଛି ଇସ୍ରାଏଲ ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛନ୍ତି । ବିପକ୍ଷ ଆତଙ୍କବାଦୀ ସଂଗଠନ “ହମାସ” ଯୁଦ୍ଧ କ୍ଷେତ୍ରରୁ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଆକ୍ରମଣକୁ ଆହୁରି ଜୋରଦାର କରିଛି ଇସ୍ରାଏଲ ସେନା ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ଲେବାନନର ଦୁଇଟି ହିଜ୍ବୁଲ ସେଲ୍ରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଯେଉଁଥିରେ ଅନେକ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ତେବେ ଏହି ଆକ୍ରମଣ ପରେ ଇରାନ ପକ୍ଷରୁ ଏକ ସତର୍କ ଜାରି କରାଯାଇଥିଲା । ଯଦି ଆକ୍ରମଣ ଏଭଳି ଜାରି ରହେ ତେବେ ଆଗକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବ ବୋଲି ଇସ୍ରାଏଲକୁ ସତର୍କ କରାଇଥିଲା ଇରାନ । ସେପଟେ ଇରାନର ଏହି ସତର୍କ ପରେ ଇସ୍ରାଏଲର ଶତ୍ରୁମାନଙ୍କୁ ଆମେରିକା ସିଧାସଳଖ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ଲୟର୍ଡ ଅଷ୍ଟିନ କହିଛନ୍ତି, ଏହା ନିଶ୍ଚିତ ଯେ ଇରାନ ଏହାର ପରୋକ୍ଷ ଶକ୍ତି ମାଧ୍ୟମରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ କରିବ। ଯାହାକୁ ନେଇ ସେ ଏକ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହି ସମୟ ମଧ୍ୟରେ କୌଣସି ଆମେରିକୀୟ ସେନା କିମ୍ବା ସଶସ୍ତ୍ର ବାହିନୀକୁ ଟାର୍ଗେଟ କରାଯାଏ, ତେବେ ବାଇଡେନ ପ୍ରଶାସନ ଶତ୍ରୁମାନଙ୍କ ସହ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ବୈଦେଶିକ ସଚିବ ବ୍ଲିଙ୍କେନ କହିଛନ୍ତି, ଆମେ ଏହା ଆଦୌ ଚାହୁଁ ନାହୁଁ କିମ୍ବା ଏହା ଆଶା କରୁନାହୁଁ। ଆମର ସେନା ଏବଂ ସାମରିକ ବାହିନୀ ଟାର୍ଗେଟରେ ପରିଣତ ହେବାକୁ ଆମେ ଚାହୁଁ ନାହୁଁ। କିନ୍ତୁ ଯଦି କେହି ଏପରି କରିବାକୁ ଚେଷ୍ଟା କରେ ତେବେ ଆମେ ଅଧିକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛୁ। ଏହା ସହ ଆମେରିକାର ପ୍ରତିରକ୍ଷା ସଚିବ ତାଙ୍କ ମତକୁ ଦୋହରାଇ କହିଛନ୍ତି ଯେ, ଆମର ସାମରିକ ବାହିନୀ ଓ ଲୋକଙ୍କ ଉପରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାର ସମ୍ଭାବନା ଉପରେ ଆମେ ଦୃଷ୍ଟି ରଖିଛୁ। କିନ୍ତୁ ଆମେରିକା ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ଆମେ ଆମର ସୁରକ୍ଷା ପାଇଁ ପଦକ୍ଷେପ ନେବାରେ ବିଫଳ ହେବୁ ନାହିଁ।