‘ପାପା-ମମି, ମୁଁ ଫେଲ୍ ହୋଇଯାଇଛି, ସେଥିପାଇଁ ମୁଁ ବିଷ ପିଇ ଆତ୍ମହତ୍ୟା କରୁଛି..’, ବିଏସସି ନର୍ସିଂ ଛାତ୍ରୀଙ୍କ ଭିଡ଼ିଓ ହେଲା ଭାଇରାଲ
ପରୀକ୍ଷାରେ ଫେଲ ହେଲେ ବୋଲି ବିଷ ପିଇ କଲେ ଭିଡ଼ିଓ
ଉତ୍ତରପ୍ରଦେଶ: ପରୀକ୍ଷାରେ ଫେଲ ହେଲେ ବୋଲି ବିଷ ପିଇ ଭିଡ଼ିଓ କଲେ, ଯାହା ଏବେ ବେଶ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ବରେଲିରେ ଦେଖିବାକୁ ମିଳିଛି ଏଭଳି ଘଟଣା।
ବାକୈନିଆ ଗାଁର ବାସିନ୍ଦା ଧର୍ମେନ୍ଦ୍ର କୁମାର ସିଂହଙ୍କ ଝିଅ, ଯିଏକି ବିଏସସି ନର୍ସିଂ ଛାତ୍ରୀ, ସେ ସକାଳେ କଲେଜ ଯାଇଥିଲେ କିନ୍ତୁ କିଛି ଘଣ୍ଟା ପରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହିଥିଲେ, ସେ ପରୀକ୍ଷାରେ ଫେଲ ହୋଇଯାଇଛନ୍ତି ଏବଂ ସେଥିପାଇଁ ସେ ବିଷ ପିଇ ଦେଇଛନ୍ତି।
ପ୍ରକୃତରେ, ଛାତ୍ରୀ ଜଣକ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ତାଙ୍କ ଘରୁ ବାହାରି ଆସିଥିଲେ। ଘରୁ ବାହାରିବାର ପ୍ରାୟ ଦୁଇ ଘଣ୍ଟା ପରେ, ଛାତ୍ରୀଙ୍କ ବାପାଙ୍କ ମୋବାଇଲରେ ଏକ ଭିଡିଓ ଆସିଥିଲା। ଏହି ଭିଡିଓ ଛାତ୍ରୀ ଜଣକ ନିଜେ ତିଆରି କରିଥିଲେ।
ଏଥିରେ ସେ କହୁଥିଲେ, ‘ପାପା ମମି, ମୋର ରେଜଲ୍ଟ ଭଲ ହେଇନି, ମୁଁ ଫେଲ୍ ହୋଇଗଲି। ତୁମେମାନେ ମୋତେ ଗାଳି ଦେବ, ତେଣୁ ମୁଁ ଆତ୍ମହତ୍ୟା କରୁଛି।’
ଭିଡିଓରେ ସେ ଏକ ବୋତଲରୁ କିଛି ପିଉଥିବାର ମଧ୍ୟ ଦେଖାଯାଇଥିଲା। ଏହା ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତୁରନ୍ତ ତାଙ୍କୁ ଖୋଜିବା ଆରମ୍ଭ କଲେ, କିନ୍ତୁ କଲେଜରେ କିମ୍ବା ରାସ୍ତାରେ ତାଙ୍କର କୌଣସି ସନ୍ଧାନ ମିଳିଲା ନାହିଁ। ତାଙ୍କ ମୋବାଇଲ୍ ମଧ୍ୟ ବନ୍ଦ ଥିଲା।
ତା ପରେ ପରିବାର ଲୋକେ ଫରିଦପୁର ଥାନାରେ ପହଞ୍ଚି ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି। ଫରିଦପୁର ଥାନା ପ୍ରଭାରୀ ରାଧେଶ୍ୟାମ କହିଛନ୍ତି ଯେ, ଛାତ୍ରୀଙ୍କ ମୋବାଇଲ ଲୋକେସନ ଟ୍ରାକ କରାଯାଉଛି।
ଏଯାଏଁ ସ୍ପଷ୍ଟ ହୋଇନାହିଁ ଯେ, ଛାତ୍ରୀ ଜଣକ ପ୍ରକୃତରେ ବିଷ ପିଇଛନ୍ତି ନା ଭିଡିଓଟି କେବଳ ଭୟଭୀତ ହୋଇ କରିଛନ୍ତି। କିନ୍ତୁ ସମୟ ନଷ୍ଟ ନକରି ଛାତ୍ରୀଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି।