fbpx

୬ ଦିନ ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ପାଇଁ ଆଶାର କିରଣ: ମୃତ୍ୟୁର ମୁହଁରୁ ବାହାର କରୁଛି ଆମେରିକୀୟ ମେସିନ୍

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି । ଆଧୁନିକ ଯନ୍ତ୍ରଗୁଡ଼ିକର ସାହାଯ୍ୟ ନିଆଯାଉଛି । ଦେଶ ତଥା ବିଶ୍ୱର ବିଶେଷଜ୍ଞମାନଙ୍କଠାରୁ ପରାମର୍ଶ ନିଆଯାଉଛି ।

ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨୧ ମିଟର ଡ୍ରିଲିଂନ କରାଯାଇଛି । ନୂଆ ଆମେରିକୀୟ ଅଗର ମେସିନ୍ ସହିତ ଗୁରୁବାର ସକାଳ ୧୦.୩୦ ରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶୁକ୍ରବାର ସକାଳ ୬.୩୦ ପର୍ଯ୍ୟନ୍ତ ୨୧ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଯାଇଥିଲା । ସୂଚନା ଅନୁଯାୟୀ, ଖନନ ଏବେ ୬୦ ମିଟର ପର୍ଯ୍ୟନ୍ତ ହେବା ବାକି ଅଛି ।

ତେବେ ଉତ୍ତରକାଶୀର ସିଲ୍କିରା ଟନେଲର ଏକ ଅଂଶ ଭୁଶୁଡ଼ିବା ହେତୁ ୪୦ ଜଣ ଶ୍ରମିକ ଗତ ୬ ଦିନ ଧରି ଫସି ରହିଛନ୍ତି । ଗୁରୁବାର ଦିନ ଏକ ନୂଆ ଆମେରିକୀୟ ଆଗର୍ ମେସିନ୍ ଇନଷ୍ଟଲ କରାଯାଇଥିଲା ଏବଂ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏବଂ ପିଏମଓଙ୍କ ନିର୍ଦ୍ଦେଶ ପରେ ଏହି ମେସିନ୍ ଉପଲବ୍ଧ କରାଯାଇଛି ।

ଉତ୍ତରକାଶୀର ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ରୁହେଲା କହିଛନ୍ତି ଯେ, ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ପାଇପ ମାଧ୍ୟମରେ ଅମ୍ଳଜାନ, ମେଡିସିନ୍, ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଉଛି । ସେ କହିଛନ୍ତି ଯେ, ସେମାନଙ୍କ ମନୋବଳ ବଜାୟ ରଖିବା ପାଇଁ ସେମାନଙ୍କ ସହ ନିରନ୍ତର କଥାବାର୍ତ୍ତା କରାଯାଉଛି ।

ଅନ୍ୟପକ୍ଷରେ ଗୁରୁବାର ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଆଉ ୨-୩ ଦିନ ଲାଗିପାରେ । ସେ କହିଛନ୍ତି ଯେ ଯଦି କୌଣସି ସମସ୍ୟା ଉପୁଜେ ତେବେ ଆମେ ହାତରେ ଟିକିଏ ଅଧିକ ସମୟ ନେଉଛୁ । ନଚେତ୍ ଉଦ୍ଧାର କାର୍ଯ୍ୟ ଶୀଘ୍ର ସମାପ୍ତ ହୋଇପାରିଥାନ୍ତା ।

Get real time updates directly on you device, subscribe now.