ଓଡ଼ିଶା ଭାସ୍କର: ପରଲୋକରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଧନ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ହସସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଖଲିକୋଟରୁ ୮ ଥର ଏବଂ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ହୋଇଥିଲେ । ୧୯୬୧ରେ ରାଜନୀତି ଜୀବନ ଆରମ୍ଭ କରିଥିଲେ ।
ତେବେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଯାଇ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ହସ୍ପିଟାଲରେ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସୁସ୍ଥତା କାମନା କରିଥିଲେ । ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଭି. ସୁଜ୍ଞାନ କୁମାରୀ ଦେଓ ଓଡ଼ିଶା ତଥା ଭାରତର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ। ସେ ୧୯୬୩ ମସିହାରେ ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦେଓ ଖଲ୍ଲିକୋଟ ରାଜ ପରିବାରର ଏବଂ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୂ ଅଟନ୍ତି । ସେ ଓଡ଼ିଶା ବିଧାନସଭାର ପ୍ରୋଟେମ୍ ବାଚସ୍ପତି ଥିଲେ। ସେ ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଥିଲେ । ୧୯୬୧ ମସିହାରେ ଖଲିକୋଟ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାରେ ପାଦ ଥାପିଥିଲେ ସୁଜ୍ଞାନ କୁମାରୀ ଦେଓ । ଏହା ପରେ ଷଷ୍ଠ ବିଧାନସଭାକୁ ସେହି ଖଲିକୋଟ ଆସନରୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ ବିଧାନସଭାକୁ ଛାଡିଦେଲେ କ୍ରମାଗତ ଭାବେ ଗତ ବିଧାନସଭା ପର୍ଯ୍ୟନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ସେ ବିଧାୟିକା ହୋଇଛନ୍ତି ।