ଅନେକ ସହରରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ! ରେଳ ବଜେଟରେ ଅର୍ଥମନ୍ତ୍ରୀ କରିପାରନ୍ତି ଏହି ୫ଟି ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ଏହା ହେବ ନିର୍ମଳା ସୀତାରମଣଙ୍କ ଚତୁର୍ଥ ବଜେଟ୍ ଉପସ୍ଥାପନ । ଏହି ବଜେଟରେ ଅର୍ଥମନ୍ତ୍ରୀ କ’ଣ ଘୋଷଣା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସାଧାରଣ ବଜେଟରେ ଲୋକଙ୍କ ନଜର ରେଳ ବଜେଟ୍ ୨୦୨୨ ଉପରେ ରହିବ । ଏଥର ରେଳ ବଜେଟରେ ଅନେକ ନୂଆ ଯୋଜନାର ଶୁଭାରମ୍ଭ ହେବାର ଯୋଜନା ରହିଛି । ସୁରକ୍ଷାକୁ ନେଇ ପ୍ରାଥମିକତା ରହିଲେ ବି ବଜେଟରେ ଆହୁରି ଅନେକ ଜିନିଷ ଆରମ୍ଭ ହୋଇପାରେ । ଏଥର ରେଳ ବଜେଟରେ ୫ଟି ବଡ଼ ଘୋଷଣା ହୋଇପାରେ ବୋଲି ଆଶା ରହିଛି । ଆସନ୍ତୁ ଜାଣିବା କ’ଣ…

>> ୩୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣର ଘୋଷଣା
ଗତବର୍ଷ ସ୍ୱାଧୀନତା ଦିବସ ଅବସର ଭାଷଣରେ ଭାରତର ୭୫ଟି ସହରକୁ ଯୋଡିବା ପାଇଁ ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ ଏହାକୁ ବଢ଼ାଇ ଅନ୍ୟ ସହରଗୁଡ଼ିକୁ ବସି ବନ୍ଦେ ଭାରତ ସହ ଯୋଡ଼ିବା ପାଇଁ ଯୋଜନା କରାଯାଉଛି ।

>>LHB କୋଚ୍ ଥିବା ୧୦୦ ଟ୍ରେନ୍ ନିର୍ମାଣ କରିବାର ଲକ୍ଷ୍ୟ
ଆଗାମୀ ବଜେଟରେ LHB କୋଚ୍ ଥିବା ୧୦୦ ଟ୍ରେନ୍ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇପାରେ । ଏହା ଜର୍ମାନ ଡିଜାଇନ୍ କୋଚ୍ ହୋଇଥିବା ବେଳେ ବର୍ତ୍ତମାନ ଭାରତରେ ଅନେକ ପୁରୁଣା ଟ୍ରେନଗୁଡ଼ିକୁ ହଟାଇ LHB କୋଚ୍ ଟ୍ରେନ୍ ଚାଲୁଛି ।

>> ଆଲୁମିନିୟମ କୋଚର ମେଲ-ଏକ୍ସପ୍ରେସ୍ ଟ୍ରେନ୍ ନିର୍ମାଣର ଘୋଷଣା
ଏହି ବଜେଟରେ ଆଲୁମିନିୟମ କୋଚଗୁଡ଼ିକର ମେଲ-ଏକ୍ସପ୍ରେସ୍ ଟ୍ରେନ ନିର୍ମାଣ ପାଇଁ ବଜେଟରେ ଘୋଷଣା ହୋଇପାରେ । ଏହି ପ୍ରକାରର ଟ୍ରେନଗୁଡ଼ିକ LHB ତୁଳନାରେ ପ୍ରାୟ ୨.୫ ଗୁଣ ଅଧିକ ହୋଇପାରେ । କିନ୍ତୁ ଏହା କମ୍ ଶକ୍ତି ଖର୍ଚ୍ଚ କରିବ । ଏପରି ଟ୍ରେନଗୁଡ଼ିକ ହାଲୁକା ଓ ୧୬୦ କିଲୋମିଟର ବେଗରେ ଆତି ଆରାମରେ ଚାଲିପାରିବ ।

>> ମେମୁ ବଦଳରେ ଏସି ଟ୍ରେନର ନିର୍ମାଣର ହୋଇପାରେ ଘୋଷଣା
ସାଧାରଣ ବଜେଟରେ ମେମୁ ବଦଳରେ ଏସି ଟ୍ରେନର ନିର୍ମାଣକୁ ନେଇ ଘୋଷଣା ହୋଇପାରେ । ଚାଲିବା ସମୟରେ ଏସି ଟ୍ରେନର ଡୋର୍ ବନ୍ଦ ହୋଇଯାଏ, ଯେଉଁଥି ପାଇଁ ଏହାକୁ ସୁରକ୍ଷିତ ଭାବେ ବିବେଚନା କରାଯାଏ ।

>> କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର ହେବ ନିଯୁକ୍ତି ପ୍ରକ୍ରିୟା
ନିକଟରେ ରେଲୱେରେ ନିଯୁକ୍ତିକୁ ନେଇ ହୋଇଥିବା ବିବାଦ ପରେ ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ସୂଚନା ଅନୁସାରେ, ଭବିଷ୍ୟତରେ ରେଲୱେର ନିଯୁକ୍ତି କୌଣସି କେନ୍ଦ୍ର ଏଜେନ୍ସିକୁ ଦିଆଯାଇପାରେ ।