fbpx

ରାଜ୍ୟରେ ପରିବା ଦର ଲଗାମଛଡ଼ା, ୧୦୦ ଉପରେ ସବୁ ପରିବା ଦାମ୍

ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍‌): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ନିମ୍ନ, ମଧ୍ୟବିତ୍ତ ଗରିବ ଶ୍ରେଣୀର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ପାହିଲେ ହାଣ୍ଡିଶାଳକୁ ଲୋଡ଼ା ପଡ଼ିଥାଏ ପନିପରିବା । କିନ୍ତୁ ଏବେ ବଜାରରେ ପନିପରିବାର ଦର ଯାହା ତାକୁ ଛୁଇଁବାକୁ ଡର ଲାଗୁଛି । ପ୍ରାୟ ପରିବା ଦର କିଲୋପିଛା ୧୦୦ ପାର୍‌ କରିଲାଣି । ସାଧାରଣ ଗ୍ରାହକ ୧୦୦୦ ଟଙ୍କା ବଜାରକୁ ନେଇଗଲେ ବ୍ୟାଗ୍‌ ଅଧାବି ହେଉନାହିଁ । ଉପରମୁଣ୍ଡରେ ଲଗାଣ ବର୍ଷା ହେବାରୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ସବୁ ଫସଲ ପାଣିରେ ଧୋଇଯାଇଛି ।

ଏବେ ବଜାରକୁ ଲୋକଙ୍କ ଚାହିଦା ଅନୁଯାୟୀ ପରିବା ଉପଲବ୍ଧ ହୋଇପାରୁନଥିବା ବେଳେ କିଛି ବ୍ୟବସାୟୀ ଏହାର ଫାଇଦା ଉଠାଇବା ସହ ହଠାତ୍‌ ଦରବୃଦ୍ଧି କରୁଛନ୍ତି । ଫଳରେ ସମସ୍ତେ ପରିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତେବେ ଏ କ୍ଷେତ୍ରରେ କିଛି ଗ୍ରାହକ ନିଜର ମତ ରଖି କହିଛନ୍ତି କି ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଶୀତଳ ଭଣ୍ଡାର ନଥିବାରୁ ବର୍ଷର ଅଧା ସମୟରେ ଏଭଳି କୃତ୍ରିମ ଦରବୃଦ୍ଧିର ସାମ୍ନା କରିବାକୁ ପଡ଼ୁଛି । ଯଦି ସରକାର ଏଥ୍ରିତି ଧ୍ୟାନ ଦେଇ ଶୀତଳ ଭଣ୍ଡାର ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରନ୍ତେ ତେବେ ସବୁବର୍ଗର ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରନ୍ତେ । ଏବେ ବଜାରରେ ବାଇଗଣ କିଲୋ ପିଛା ୮୦ ଟଙ୍କା ବିକ୍ରି ହେଉଥିବା ବେଳେ ଦେଶୀ କାଙ୍କଡ଼ ୨୫୦, ପୋଟଳ ୧୨୦, ଝୁଡ଼ଙ୍ଗ ୧୦୦, ଅମୃତଭଣ୍ଡା ୪୦, ପୋଇ ୬୦, ଟମାଟୋ ୪୦, ଜହ୍ନି ୮୦ ସମେତ ବହୁ ପରିବା ଏବେ ଉଚ୍ଚା ଦରରେ ବିକ୍ରି ହେଉଛି । ତେବେ ଆଗାମୀ ଦିନରେ ଯଦି ଏ ଦିଗରେ ଲଗାମ ନଲାଗେ ତେବେ ପରିସ୍ଥିତି ଆହୁରି ସଂଗୀନ ହୋଇପଡ଼ିବ ବୋଲି ସବୁଠି ଚର୍ଚ୍ଚା ଜୋର୍‌ ଧରିଛି ।

Get real time updates directly on you device, subscribe now.