ଜଟଣୀରେ ଭେଣ୍ଡିଂ ଜୋନ୍, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଜମି ପଟ୍ଟା, ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଜଟଣୀରେ ଉଠା ଦୋକାନୀଙ୍କ ବିବାଦ ସମାଧାନ ପାଇଁ ନିର୍ମାଣ ହେବ ଭେଣ୍ଡିଂ ଜୋନ୍ । ୧୬କୋଟି ୫୮ଲକ୍ଷ ଟଙ୍କା ବ୍ୟୟବରାଦ ।

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ଏହା ବାଦ୍ ରାଜଧାନୀର ଉନ୍ନତି ପାଇଁ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ୬ଟି ପ୍ରସ୍ତାବ ରଖିଥିଲେ ।

ଭେଣ୍ଡିଂ ଜୋନ୍ ପାଇଁ କେତେ କୋଟି ?

୨୦୧୪ ମସିହାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ଡେଲାଙ୍ଗ ଅଞ୍ଚଳରେ ୧୫୬ ଗାଁର ଲୋକଙ୍କୁ ଜଗନ୍ନାଥଙ୍କ ଜମି ଦିଆଯାଇଥିଲା । ଏହା ସତ୍ତ୍ୱେ ୩୬ ଗାଁର ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ପଟ୍ଟା (ଆର୍‌ଓଆର୍‌) ପାଇବାରୁ ବଞ୍ଚିତ ହୋଇଛନ୍ତି । ଏବେ ଏହି ଲୋକଙ୍କୁ ଜମି ଯୋଗାଇ ଦିଆଯିବା ନେଇ ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ‌।

ଜଟଣୀରେ ୫୬୮ ଭେଣ୍ଡିଂ ଜୋନ୍‌ ନିର୍ମାଣ ହେବ। ଏଥିପାଇଁ ୧୬କୋଟି ୫୮ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ଫଳରେ ବହୁ ଦିନରୁ ଜଟଣୀରେ ଲାଗି ରହିଥିବା ଉଠାଦୋକାନୀ ବିବାଦ ସମାଧାନ ହେବ ।

୬ ପ୍ରକଳ୍ପର ପ୍ରସ୍ତାବ:

୧- ନନ୍ଦନକାନନ ରାସ୍ତାକୁ ୨୦୦ ଫୁଟିଆ କରାଯାଉ ।

୨- କଳ୍ପନାରୁ ରବି ଟକିଜକୁ ଫ୍ଲାଏ ଓଭର, ଶିଶୁ ଭବନ ଛକରୁ ମ୍ୟୁଜିୟମ ଛକ ଯାଏ ଫ୍ଲାଏ ଓଭର ନିର୍ମାଣ । ଏହି ପ୍ରକଳ୍ପ ଗୁଡି଼କର ଡିପିଆର ପ୍ରସ୍ତୁତ ହୋଇ ଜିଲ୍ଲାପାଳ, ବିଡିଏ ଓ ବିଏମସି ନିକଟକୁ ଯାଇ ସାରିଛି ।

୩- ଭୁବନେଶ୍ୱର ବାହାରେ ଏକ ରିଙ୍ଗ ରୋଡ୍ ପ୍ରକଳ୍ପ କରାଯାଉ । ୧୪୮ କିମି ଲମ୍ବ ବିଶିଷ୍ଟ ପ୍ରସ୍ତାବିତ ରିଙ୍ଗ ରୋଡ୍ ପାଇଁ ଦାବି ହୋଇଛି ।

ଏହି ରିଂ ରୋଡ, ରାଜଧାନୀ ଉପକଣ୍ଠ ଅଂଚଳକୁ ସଂଯୋଗ କରିବ, ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବା ସହ ଯୋଗାଯୋଗକୁ ଅତି ସୁଦୃଢ କରିବ ।

୪- ଦୟା ପଶ୍ଚିମ କେନାଲ ଓ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ।

୫- ସହିଦନଗର ହାଟର ଜମି ଅଧିଗ୍ରହଣ ପାଇଁ ସୁପାରିଶ ଓ ହାଟର ଉନ୍ନତିକରଣ ପାଇଁ ଯୋଜନା ।

୬- ନୟାପଲ୍ଲୀରେ ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ହଲର ନିର୍ମାଣ