fbpx

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ଆଜି ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ

ଓଡିଶା ଭାସ୍କର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଗୋଟିଏ ପରିତ୍ୟକ୍ତ ବୋରୱେଲ ଏକ ଶିଶୁକନ୍ୟା ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା। ଡାକ୍ତରଖାନା ପରିସରରେ ତାହାର ଏକୋଇଶିଆ ପାଳନ କରାଯାଇଥିଲା। ଏହା ସହ ତା’ର ନାମକରଣ କରାଯାଇଥିଲା, ଯାହାର ନାଁ ‘ ବିଜୟିନୀ’ ରଖାଯାଇଥିଲା । ତେବେ ବିଜୟିନୀ ଦୀର୍ଘଦିନ ହେବ ବୁର୍ଲା ବଡ଼ ଡାକ୍ତରଖାନାର SNCU ରେ ଚିକିତ୍ସାଧିନ ଥିଲା। କିନ୍ତୁ ତା’ର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଆଜି ତାକୁ ମେଡିକାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। ଡିସଚାର୍ଜ ପରେ ବିଜୟିନୀଙ୍କୁ ଶିଶୁ ଗୃହକୁ ପଠାଯିବ ବୋଲି ସୂଚନା ରହିଛି।

ସୂଚନା ଥାଉକି, ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ବୋରୱେଲରେ ଗୋଟିଏ ନବଜାତ ଶିଶୁ ଫସି ରହିଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଏହି ରେସ୍କ୍ୟୁ ଅପରେସନ ଜାରି ରହିଥିଲା। ଜେସିବି ଜରିଆରେ ବୋରୱେଲ କଡ଼ରୁ ମାଟି ତାଡିବା ପରେ ଲୁହା ପାଇପ ନିକଟରେ ପହଞ୍ଚିଥିଲେ ରେସ୍କ୍ୟୁ ଓ ଡାକ୍ତରୀ ଟିମ ସଦସ୍ୟ। ଏହା ପରେ କଟର ମେସିନ ଯୋଗେ ଉକ୍ତ ଲୁହା ପାଇପକୁ କଟାଯାଇଥିଲା। ଏହି ସମୟରେ ଶିଶୁର କାନ୍ଦ ଶୁଭାଯାଇଥିଲା ବୋଲି କୁହାଯାଇଥିଲା। ପାଇପ କଟା ସରିବା ପରେ ଶିଶୁର ପାଖରେ ପହଞ୍ଚି ଡାକ୍ତରୀ ଟିମ ସଦସ୍ୟ ତାକୁ ଉଦ୍ଧାର କରିଥିଲେ। ଶିଶୁଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପରେ ତାହା ଏକ ଶିଶୁକନ୍ୟା ବୋଲି ଜଣାପଡିଥିଲା। ପ୍ରାୟ ଏକ ମାସ ଧରି ବୁର୍ଲା ବଡ଼ ଡାକ୍ତରଖାନାରେ ଉକ୍ତ ଶିଶୁକନ୍ୟାର ଚିକିତ୍ସା ଚାଲିଥିଲା।

Get real time updates directly on you device, subscribe now.