fbpx

ବିହାରର ପୂର୍ବତନ ମନ୍ତ୍ରୀ ମୁକେଶ ସାହାନୀଙ୍କ ବାପାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ବିକାଶଶୀଳ ଇନସାନ ପାର୍ଟି ମୁଖ୍ୟ ତଥା ବିହାରର ପୂର୍ବତନ ମନ୍ତ୍ରୀ ମୁକେଶ ସାହାନୀଙ୍କ ପିତା ଜିତନ ସାହାନିଙ୍କୁ ଦରଭଙ୍ଗାର ବିରୌଲ ବଜାରସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଦରଭଙ୍ଗା ଏସଏସପି ଜଗୁନାଥ ରେଡ୍ଡୀ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ମୁକେଶ ସାହାନୀଙ୍କ ପିତାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଦରଭଙ୍ଗା ଗ୍ରାମାଞ୍ଚଳ ଏସପି କାମିୟା ମିଶ୍ରଙ୍କ ନେତୃତ୍ୱରେ ଏସଏସପି ଏକ ଏସଆଇଟି ଗଠନ କରିଛନ୍ତି।

ବାପାଙ୍କ ହତ୍ୟା ଖବର ଶୁଣି ମୁକେଶ ସାହାନୀ ମୁମ୍ବାଇରୁ ନିଜ ଘର ଦରଭଙ୍ଗା ଅଭିମୁଖେ ବାହାରିଛନ୍ତି। ସ୍ଥାନୀୟ ବାସିନ୍ଦା ପପୁ ନାୟକ କହିଛନ୍ତି ଯେ ମୁକେଶ ସାହାନୀଙ୍କ ବାପା ଦୀର୍ଘ ସମୟ ଧରି ଘରୁ ନ ବାହାରିବାରୁ ଲୋକେ ଘର ଭିତରକୁ ଚାହିଁଥିଲେ। ସେ ଘରର ଶଯ୍ୟା ଉପରେ ମୃତ ଅବସ୍ଥାରେ ପଡ଼ିଥିଲେ। ଲୋକେ ତୁରନ୍ତ ଏ ନେଇ ପୁଲିସକୁ ଖବର ଦେଇଥିଲେ। ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଲୋକେ କହନ୍ତି ମୁକେଶଙ୍କ ବାପାଙ୍କର କାହା ସହ ଶତ୍ରୁତା ନଥିଲା।

ସେ ଘରେ ଏକୁଟିଆ ରହୁଥିଲେ। ସାମ୍ନାରେ ରହିଛି ମୁକେଶ ସାହାନୀଙ୍କ ଘର। ବିରୌଲ ଏସଡିପିଓ ମନୀଷ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ହତ୍ୟାକାରୀମାନେ ଚୋରି ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିଲେ। ଘରର ଜିନିଷ ପତ୍ର ବାହାରେ ବିଛିନ୍ନ ହୋଇ ରହିଥିଲା। ପୁଲିସ ଆଖପାଖରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି। ଘଟଣାସ୍ଥଳରେ ବିରୌଲ ଓ ଘନଶ୍ୟାମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁକେଶ ସାହାନୀଙ୍କ ବାପାଙ୍କ ହତ୍ୟା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Get real time updates directly on you device, subscribe now.