fbpx

ଆଜି ମୁମ୍ବାଇରେ ଭେଟିବେ କୋହଲି-ରୋହିତ, ଏହି ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍ ଇଣ୍ଡିଆ

Advertisement

ନୂଆଦିଲ୍ଲୀ : ଭାରତୀୟ ଦଳ ଚଳିତ ମାସ ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳିବ । ଭାରତୀୟ ଦଳ ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଯାତ୍ରା କରିବ । ତେବେ ଏହା ପୂର୍ବରୁ ଡିସେମ୍ବର ୧୨ରେ ଖେଳାଳି ମୁମ୍ବାଇରେ ଏକତ୍ର ହେବେ । ଏଠାରେ ହୋଟେଲରେ ତିନି ଦିନ କ୍ୱାରେଣ୍ଟାଇନରେ ରହିବେ । ପୁଣି ଦକ୍ଷିଣ ଆଫ୍ରିକା ମଧ୍ୟ ଦଳ କ୍ୱାରେଣ୍ଟାଇନରେ ରହିବ । ବାୟୋ ବବଲରେ ରହି ଖେଳାଳି ଅଭ୍ୟାସ୍ କରିବେ । ଦିନିକିଆ ଦଳର ଅଧିନାୟକ ଏବଂ ଟେଷ୍ଟ ଦଳର ଉପ ଅଧିନାୟକ ହେବା ପରେ ରୋହିତ ଶର୍ମା ଆଜି ପ୍ରଥମ ଥର ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭେଟିବେ । ଉଭୟଙ୍କ ବ୍ୟତୀତ ବାକି ଖେଳାଳି ମଧ୍ୟ ମୁମ୍ବାଇରେ ଏକତ୍ରିତ ହେବେ ।

ବିସିସିଆଇର ଜୈନକ ଅଧିକାରୀ ଏ ନେଇ ସୂଚନା ମଧ୍ୟ ଦେଇଛନ୍ତି । ଭାରତୀୟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ସାମାଜିକ ଗଣମାଧ୍ୟମରେ ପତ୍ନୀ ଏବଂ ପିଲାଙ୍କ ଫଟୋ ସେୟାର କରି ଅଲବିଦା କହିଛନ୍ତି । ସେ ଲେଖିଛନ୍ତି, ଆଉ ଏକ ଗସ୍ତ ପୂର୍ବରୁ ଘରେ ଶେଷ ଦିନ । ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ । କିନ୍ତୁ ଏହି ଦୁଇ ଜଣଙ୍କ ଅଭାବ ଅନୁଭୂତ ହେବ । ପୂଜାରା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅଂଶ ଥିଲେ ଏବଂ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ବାୟୋ ବବଲରେ ଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ଦଳ ଅଦ୍ୟାବଧି ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତି ପାରିନାହିଁ । ତେଣୁ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଡିସେମ୍ବର ୨୬ରୁ ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଜାନୁଆରୀ ୩ରୁ ଏବଂ ତୃତୀୟ ତଥା ଅନ୍ତିମ ଟେଷ୍ଟ ଜାନୁଆରୀ ୧୧ରୁ ଆରମ୍ଭ ହେବ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ନିକଟରେ ଦୁଇ ମ୍ୟାଚର ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ୧-୦ରେ ହରାଇଥିଲା ।

ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ,ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ,ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ।

Get real time updates directly on you device, subscribe now.