fbpx

ବିରାଟ ମୋ ଉପରକୁ ଦିନେ ଛେପ ପକାଇଥିଲେ…. ପୂର୍ବତନ ଅଧିନାୟକଙ୍କ ସଙ୍ଗୀନ ଅଭିଯୋଗ

Advertisement

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଜଣେ ପୂର୍ବତନ ଅଧିନାୟକଙ୍କୁ ଅସମ୍ମାନ କରିବା ଅଭିଯୋଗରେ ଫସିଛନ୍ତି ଟିମ ଇଣ୍ଡିଆର କିଙ୍ଗ କୋହଲି । ଏକ ଟେଷ୍ଟ ମ୍ୟାଚରେ ପୂର୍ବତନ କ୍ରିକେଟରଙ୍କୁ ବିରାଟ ଛେପ ପକାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏଥିପାଇଁ କୋହଲି ତାଙ୍କୁ ପରେ ଭୁଲ ମାଗିଥିବା ମଧ୍ୟ ଜାଣିବାକୁ ମିଳିଛି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବିରାଟଙ୍କ ଏହି କାରନାମାକୁ ନେଇ ସାଥୀ ଖେଳାଳିଙ୍କ ପରାମର୍ଶ ପରେ କୋହଲି ତାଙ୍କୁ ଭୁଲ ମାଗିଥିଲେ ।

ଏହି ଘଟଣା ହେଉଛି ୨୦୧୫ ମସିହାରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ବୋଲି ଅନୁମାନ କରାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ୍ ଏଲଗର-କୋହଲି ଏବଂ ଅଶ୍ୱୀନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏକ ଇଣ୍ଟରଭ୍ୟୁରେ ଏଲଗର କହିଛନ୍ତି ଯେ, ଭାରତରେ ସେସବୁ ପିଚ୍ ଏକ ମଜାକ୍ ଭଳି ଥିଲା । ଯେବେ ମୁଁ ବ୍ୟାଟିଂ କରିବାକୁ ଆସିଲି, ଏମିତି ଲାଗିଲା ଯେପରି ଅଶ୍ୱୀନ ଏବଂ ଜାଡେଜାଙ୍କ ବିପକ୍ଷରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲି । ଏହି ସମୟରେ କୋହଲି ମୋ ଉପରେ ଛେପ ପକାଇଥିଲେ ବୋଲି କହିଛନ୍ତି ଏଲଗର । ତେବେ ଏହାର ଜବାବରେ ଏଲଗର କୋହଲିଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନିଜେ ସ୍ୱୀକାର କରିଛନ୍ତି ।

ତେବେ ବିରାଟଙ୍କ ଘନିଷ୍ଠ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଏ ବିଷୟରେ ଜାଣିବା ପରେ କୋହଲିଙ୍କ ସହ ଆଲୋଚନା କରିଥିଲେ । ତେବେ କୋହଲି ଏବଂ ଡିଭିଲିୟର୍ସ କେବେ ଏ ନେଇ ଆଲୋଚନା କରିଥିଲେ ସେ ନେଇ ଏଲଗର କୌଣସି ସୂଚନା ଦେଇନାହାନ୍ତି । ତେବେ ଘଟଣାର ୨ ବର୍ଷ ପରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମୟରେ ଏଲଗରଙ୍କୁ ଏହି ମାମଲା ପାଇଁ କ୍ଷମା ମାଗିଥିଲେ ବୋଲି ଏଲଗର ପ୍ରକାଶ କରିଛନ୍ତି । କିନ୍ତୁ କୋହଲି ବର୍ତ୍ତମାନ ପୂର୍ବ ଅପେକ୍ଷା ପରିବର୍ତ୍ତନ ହୋଇ ଯାଇଛନ୍ତି ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ୍ ଏଲଗର ।

Get real time updates directly on you device, subscribe now.