ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା: ଗିରଫ ହେଲେ ପୁରୁଷ ବନ୍ଧୁ

ସମ୍ବଲପୁର,୩୧ା୩:  ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ପରେ ବୁର୍ଲା ପୋଲିସ ଆଜି ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କରିଛି।

ପୀଡିତାଙ୍କ ପରିବାର ସଦସ୍ୟ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କୁ ତାଙ୍କ ଅକାଳ ମୃତ୍ୟୁରେ ସମ୍ପୃକ୍ତ ବୋଲି ଅଭିଯୋଗ କରିଥିଲେ। ସେମାନେ ଦାବି କରିଥିଲେ ଯେ, ପ୍ରୀତିମାନଙ୍କ ବାପା, ଯିଏ ସେତେବେଳେ ସରକାରଙ୍କ ଉଚ୍ଚପଦସ୍ଥ ପଦବୀରେ ଥିଲେ, ତଦନ୍ତକୁ ପ୍ରଭାବିତ କରିପାରିଥାନ୍ତେ। ନ୍ୟାୟ ପାଇଁ ଚିନ୍ମୟୀଙ୍କ ପରିବାର ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, ପ୍ରୀତିମାନଙ୍କ ଗିରଫଦାରୀ ଏବଂ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରି। ଫଳସ୍ୱରୂପ, କୋର୍ଟ ଦୁଇ ସପ୍ତାହ ମଧ୍ୟରେ ମାମଲାର ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ପୋଲିସ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଆଧାରରେ ପୋଲିସ ଆଜି ପ୍ରୀତିମାନଙ୍କୁ ଗିରଫ କରିଛି ।

ସୂଚନା ଥାଉକି, ୨୦୨୩ ଫେବୃୟାରୀ ୨୮ରେ ଭିସୁଟ ସମାବର୍ତ୍ତନ ଉତ୍ସବ ପରେ ଚିନ୍ମୟୀ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ପକ୍ଷରୁ ବୁର୍ଲା ଥାନାରେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଏତଲା ଦିଆଯାଇଥିଲା। ଏତଲା ଆଧାରରେ ପୋଲିସ ଏକ ହତ୍ୟା ମାମଲା ମଧ୍ୟ ରୁଜୁ କରିଥିଲା। ତେବେ ମାର୍ଚ୍ଚ ୧ରେ ଚିନ୍ମୟୀଙ୍କ ମୃତଦେହ ବୁର୍ଲା ପାୱାର ଚ୍ୟାନେଲ ବ୍ରିଜରୁ ମିଳିଥିଲା। ବୁର୍ଲା ଥାନା ଏହି ଘଟଣାକୁ ହତ୍ୟା ନୁହେଁ ବରଂ କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା। ଏହାପରେ ମୃତ ଚିନ୍ମୟୀଙ୍କ ପରିବାର ଏହି ଘଟଣାର ସିବିଆଇ ତଦନ୍ତ ଆବଶ୍ୟକ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।