fbpx

ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର ବଦଳିଲା: ସୂଚନା ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ପ୍ରାର୍ଥୀମାନେ ନଭେମ୍ବର ମାସ ୨୪ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିଥିଲେ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗ୍ରୁପ-ସି’ରେ ପ୍ରାର୍ଥୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ ।

ଚଳିତ ମାସ ୧୧ ଓ ୧୨ ତାରିଖରେ ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ସେନେଇ ନିକଟରେ ଓଏସଏସସି ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ତେବେ ପରୀକ୍ଷାର ୩ ଦିନ ପୂର୍ବରୁ ଆସିଛି ଏକ ଜରୁରୀ ଖବର । ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଜେଟ ସ୍ମାର୍ଟ ଆଇଟି ସର୍ଭିସେସରେ ପରୀକ୍ଷା ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏବେ ତାହା ରାଧା ମୋହନ ଆସେସମେଣ୍ଟ ସର୍ଭିସେସ ପ୍ରା. ଲିଃ.ରେ ହେବ ବୋଲି ସୂଚନା ଜାରି କରାଯାଇଛି । ପରୀକ୍ଷା ପୂର୍ବରୁ ପ୍ରାର୍ଥୀମାନେ ୱେବସାଇଟ୍ ଚେକ୍ କରିବା ଆବଶ୍ୟକ ।

ପ୍ରିଲିମିନାରୀ ପରୀକ୍ଷାରେ ପ୍ରାର୍ଥୀଙ୍କୁ ୨ ଘଣ୍ଟା ମଧ୍ୟରେ ୧୨୫ ମାର୍କର ଉତ୍ତର ଦେବାକୁ ପଡ଼ିବ । ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ହିସାବରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି । ୟୁଆରଙ୍କ ପାଇଁ ୧୧୬ଟି, ଶିକ୍ଷା ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୨୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩୯ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫୧ଟି ପଦ ଖାଲି ରହିଛି । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.