fbpx

‘ଓ୍ଵାର୍ଣ୍ଣର ହେବେ ଆରସିବିର ଅଧିନାୟକ, କୋହଲି ତାଙ୍କ ନେତୃତ୍ଵରେ ଖେଳିବେ’, – ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ରେ ଧମାକାଦାର ଇନିଂସ ଖେଳି ପ୍ଲେଆର ଅଫ ଦ ଟୁର୍ଣ୍ଣାମେଣ୍ଟ ପାଇଥିବା ଡେଭିଡ୍ ଓ୍ଵାର୍ଣ୍ଣର ଏବେ ଖୁବ୍ ଚର୍ଚ୍ଚାରେ। ଆଇପିଏଲରେ ଖରାପ ଫର୍ମ ଦେଇ ସଂଘର୍ଷ କରିଥିବା ଡେଭିଡ୍ ଓ୍ଵାର୍ଣ୍ଣର ବିଶ୍ଵ କପରେ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଟି-୨୦ ବିଶ୍ଵ କପ୍ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ ଓ୍ଵାର୍ଣ୍ଣରଙ୍କ ସଦ୍ୟତମ ଫର୍ମକୁ ଦେଖି ଆଇପିଏଲର ମେଗା ନିଲାମକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବ୍ରାଡ ହଗ୍ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ତାଙ୍କୁ ଲାଗୁଛି ଯେ ଡେଭିଡ୍ ଓ୍ଵାର୍ଣ୍ଣର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳି ପାରନ୍ତି। ବ୍ରାଡ ହଗ୍ ଏହା ମଧ୍ୟ କହିଛନ୍ତି, ଆରସିବି ପାଖରେ ଏମିତି ଓ୍ଵିକେଟ୍ ରହିଛି ଯାହା ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ଏଥିସହ ବେଙ୍ଗାଲୁରୁକୁ ବର୍ତ୍ତମାନ ତାଙ୍କ ପରି ନେତୃତ୍ଵ ଦରକାର।

ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟ୍ର କହିଛନ୍ତି, ବିରାଟ କୋହଲି ଆରସିବିର ଅଧିନାୟକ ଛାଡି ସାରିଛନ୍ତି। ଏମିତିରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଅଧିନାୟକ କଲେ ଆରସିବି ତାଙ୍କ ଅନୁଭବର ଫାଇଦା ପାଇ ପାରିବ। ନିକଟରେ ଆଇପିଏଲରେ ଡେଭିଡ୍ ଓ୍ଵାର୍ଣ୍ଣର ଖରାପ ଫର୍ମ ଦେଇ ସଂଘର୍ଷ କରୁଥିଲେ। କିଛି ମ୍ୟାଚ୍ରେ ନିରାଶଜନକ ପ୍ରଦର୍ଶନ କରିବା କାରଣରୁ ସନରାଇର୍ଜ ହାଇଦ୍ରାବାଦ ଓ୍ଵାର୍ଣ୍ଣରଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେଇଥିଲା। ଏହା ପରେ ସନରାଇଜର୍ସ ହାଇଦ୍ରାବାଦରୁ ଡେଭିଡ୍ ଓ୍ଵାର୍ଣ୍ଣର ସଂପର୍କ ଛିନ୍ନ କରିଥିବା କୁହାଯାଇଥିଲା। ବ୍ରାଡ ହଗ୍ କହିଛନ୍ତି, ବର୍ତ୍ତମାନ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଆଉ ଦେଖିବାକୁ ମିଳିବ ନାହିଁ। ଯେବେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଚୟନ କରାଗଲା, ସେହି ସମୟରେ ତାଙ୍କ ପତ୍ନୀ ଟ୍ଵିଟ୍ କରି ସମାଲୋଚକଙ୍କୁ ତାର୍ତ୍ସଲ୍ୟ କରିଥିଲେ ଏବଂ ଲେଖିଥିଲେ ଆଉଟ୍ ଅଫ ଫର୍ମ, ବହୁତ ମନ୍ଥର ଏବଂ ବୁଢା।

Get real time updates directly on you device, subscribe now.