fbpx

ବାରମ୍ବାର ହାତ ସଫା କରନ୍ତୁନି, ଏହା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ

Advertisement

ଓଡ଼ିଶା ଭାସ୍କର: ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା ଆତଙ୍କ । ନୂଆ ବର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ କରୋନାର ଏହି ନୂଆ ଭାରିଆଣ୍ଟ JN.1 ରେ ସାମାନ୍ୟ ଜ୍ୱର, କାଶ, ନାକରେ ଅସୁବିଧା, ଗଳା ଓ ମୁହଁରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା ଏବଂ ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟା ଭଳି ଲକ୍ଷଣ ଦେଖାଯାଇଥାଏ । ତେଣୁ କରୋନା ଭାଇରସର ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ ସାବୁନ କିମ୍ବା ହ୍ୟାଣ୍ଡ ୱାଶରେ ହାତ ଧୋଇବା ସହ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ କିଛି ଲୋକମାନଙ୍କ ବାରମ୍ବାର ହାତ ଧୋଇଥାନ୍ତି । ଏହା ଏକ ରୋଗର ଲକ୍ଷଣ ଅଟେ ଯାହା ଉପରେ ଲୋକମାନେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ:

Obsessive Compulsive Disorder ହେଉଛି ଏକ ମାନସିକ ବିକୃତି । ଏହି ରୋଗରେ ପୀଡ଼ିତ ଲୋକମାନେ ଭାଇରସ ଓ ବ୍ୟାକ୍ଟେରିଆରୁ ନିଜକୁ ଦୂରେଇ ରଖିବା ପାଇଁ ବାରମ୍ବାର ହାତ ଧୋଇଥାନ୍ତି ଓ ଆଖପାଖ ସ୍ୱଚ୍ଛତା ଉପରେ ଆବଶ୍ୟକତା ଠାରୁ ଅଧିକ ଧ୍ୟାନ ଦେଇଥାନ୍ତି । ଏଭଳି ରୋଗୀଙ୍କ ମାନସିକ ସ୍ଥିତି ଏପରି ଯେ ହାତ ଧୋଇଥିଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟି ମିଳି ନଥାଏ ଏବଂ କିଛି ସମୟ ପରେ ପୁଣି ଥରେ ହାତ ଧୋଇଥାନ୍ତି । ବହୁ ଗବେଷଣା ପରେ ମଧ୍ୟ ଏହି ରୋଗର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ତେବେ ବିଶ୍ୱାସ କରାଯାଏ ଯେ ମସ୍ତିଷ୍କ ଭିତରେ ଥିବା ସିରୋଟୋନିନ୍ ନାମକ ଏକ ରସାୟନିକ ପଦାର୍ଥ ହ୍ରାସ ହେଲେ ରୋଗୀ ଜଣଙ୍କ ବାରମ୍ବାର ଗୋଟିଏ କାମ କରିଥାଏ ।

Obsessive Compulsive Disorder ରୋଗର ଲକ୍ଷଣ:
– ବାରମ୍ବାର ହାତ ଧୋଇବା
– ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇବା
– ଏଭଳୀ ରୋଗୀଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଅଭାବ ଦେଖାଦେଇଥାଏ ସେଥିପାଇଁ ସେ ହାତ ଠିକ ଭାବେ ସଫା କରିଛନ୍ତି ନା ନାହିଁ ବୋଲି ଅନ୍ୟମାନଙ୍କୁ ବାରମ୍ବାର ପଚାରିଥାନ୍ତି
– ଅଧିକାଂଶ କ୍ଷେତ୍ରରେ ଏପରି ରୋଗୀ ୱାଶରୁମ(ପରିଶ୍ରା ବା ଶୌଚ) ଯିବା ଠାରୁ ଦୂରେଇ ରହିଥାନ୍ତି । ଏହାଦ୍ୱାରା ସେମାନଙ୍କୁ ସଂକ୍ରମଣ ବ୍ୟାପିବାର ଭୟ ଥାଏ ।
– କବାଟ ବା ଲାଇଟ୍ ଠିକରେ ବନ୍ଦ ହୋଇଛି ନା ନାହିଁ ବୋଲି ବାରମ୍ବାର ଯାଞ୍ଚ କରିବା

Obsessive Compulsive Disorderରେ ପୀଡ଼ିତ ବ୍ୟକ୍ତିର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ ଯେପରି:

– ବାରମ୍ବାର ହାତ ଧୋଇଲେ ବା ଗାଧୋଇଲେ ତ୍ୱଚା ଶୁଷ୍କ ହୋଇଯାଏ । ପରବର୍ତ୍ତୀ ସମୟରେ ଚର୍ମ ଫାଟିବା ସହ ବ୍ୟକ୍ତିକୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ
– ଏହା ଦ୍ୱାରା ବ୍ୟକ୍ତିର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ
– ରୋଗୀ କେତେବେଳେ ଅଧିକ ଚିଡ଼ଚିଡ଼ ହୋଇଯାଏ ଆଉ କେତେବେଳେ ଚୁପ ରୁହେ ।

ତେବେ ଏଭଳି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହି ରୋଗର ଚିକିତ୍ସା ସମୟରେ ରୋଗୀଙ୍କୁ ଔଷଧ ସହ କାଉଂସେଲିଂ କରାଯାଇଥାଏ । ଉଚିତ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା କରିବା ଶ୍ରେୟସକର ହୋଇଥାଏ ।

 

Get real time updates directly on you device, subscribe now.