fbpx

ନିୟନ୍ତ୍ରଣରେ ନାହିଁ ବନ୍ୟାଜଳ: ବିପଦ ସଂକେତ ଉପରେ ବହୁଛି ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ବନ୍ୟାକୁ ସାଙ୍ଗରେ ନେଇ ଆସିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବିଭିନ୍ନ ଅଞ୍ଚଳରେ ପାଣି ପଶିଯିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଆହୁରି ଅନେକ ନଦୀରେ ଏବେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ମହାନଦୀ ଏବଂ ଦେବୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ଏହି ନଦୀରେ ବନ୍ୟା ଆଶଙ୍କା ବୃଦ୍ଧି ପାଉଛି ।

ଦେବୀ ନଦୀର ଜଳସ୍ତର ଏବେ ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଦଳେଇ ଘାଇଠାରେ ଦେବୀ ନଦୀର ବିପଦସଂକେତ ୫୭ ଫୁଟ ରହିଥିବା ବେଳେ ଏବେ ଏଠାରେ ୫୯.୬୦ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ମାଛଗାଁରେ ବିପଦ ସଂକେତ ୧୩ ଫୁଟ ରହିଥିବା ବେଳେ ବର୍ତ୍ତମାନ ୧୫.୩୦ ଫୁଟ ଉପରେ ଜଳସ୍ତର ରହିଛି । ଅନ୍ୟପଟେ କାକଟପୁର ବାଉରିଆକଣଠାରେ ବିପଦ ସଂକେତରୁ ବହୁ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଏଠାରେ ୪.୯୩ ମିଟର ବିପଦସଂକେତ ରହିଛି, ତେବେ ଏହାକୁ ଅତିକ୍ରମ କରି ୫.୮୦ ମିଟର ଉପରେ ବହୁଛି ଦେବୀ ନଦୀର ପାଣି ।

ସେପଟେ କଟକ ମୁଣ୍ଡଳୀରେ ମହାନଦୀ ମଧ୍ୟ ତାଣ୍ଡବ ଆରମ୍ଭ କରିଛି । ମୁଣ୍ଡଳୀର ଜଳପ୍ରବାହ ବର୍ତ୍ତମାନ ୧୨ଲକ୍ଷ କ୍ୟୁସେକ ଅତିକ୍ରମ କରିସାରିଛି । ଏବେ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି । ଏଠାରେ ବିପଦ ସଂକେତ ୯୭.୨୫ ଫୁଟ ରହିଥିବା ବେଳେ ଏବେ ୯୭.୮୦ ପୁଟ ଉପରେ ଜଳ ପ୍ରବାହିତ ହେଉଛି । ବିଭିନ୍ନ ନଦୀରେ ଜଳପ୍ରବାହକୁ ନେଇ ରାଜ୍ୟବାସୀଙ୍କ ମନରେ ଭୟ ଖେଳିଯାଇଛି ।

Get real time updates directly on you device, subscribe now.