fbpx

What is Disease X: WHO ଦେଇଥିଲା ଚେତାବନୀ, ଆଗାମୀ ଦିନରେ ଏହା କରୋନାଠାରୁ ଅଧିକ ବିପଜ୍ଜନକ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱରେ ଭୟଙ୍କର ଧ୍ୱଂସଲୀଳା ରଚିବା ପରେ କରୋନା ମହାମାରୀ ଏବେ ସ୍ଥାଣୁ ଅବସ୍ଥାରେ ରହିଛି । ତେବେ ଆଗାମୀ ଦିନରେ ପୁଣି ଏକ ନୂଆ ମହାମାରୀ ଆସିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଏହି ମହାମାରୀର ନାମ ‘ଡିଜିଜ ଏକ୍ସ’ ଦିଆଯାଇଛି । ଏହା କୋଭିଡ ଭାଇରସଠାରୁ ଅନେକ ଗୁଣରେ ଭୟଙ୍କର ହୋଇପାରେ ବୋଲି କୁହାଯାଉଛି । ଏହାର ପ୍ରଭାବରେ ୫ କୋଟି ଲୋକଙ୍କର ମୃତ୍ୟ ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଡିଜିଜ ଏକ୍ସ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଜାରି କରାଯାଇଥିଲା । ଯଦି ଏହି ମହାମାରୀ ଆସେ ତେବେ ତାହା କରୋନା ଅପେକ୍ଷା ଅଧିକ ମାତ୍ରାରେ ମୃତ୍ୟୁର କାରଣ ପାଲଟିବ । ଆଗାମୀ କିଛି ବର୍ଷରେ ଏହା ସ୍ପାନିଶ ଫ୍ଲୁ ପରି ବିପଜ୍ଜନକ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଡିଜିଜ ଏକ୍ସ’କୁ ନେଇ ୟୁକେର ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

ଆଗାମୀ କିଛି ବର୍ଷ ମଧ୍ୟରେ ଡିଜିଜ ଏକ୍ସ କରୋନା ମହାମାରୀ ପରି ଏକ ଭୟଙ୍କର ମହାମାରୀର ରୂପ ଧାରଣ କରିବ ବୋଲି ୟୁକେର କୋଭିଡ ଭ୍ୟାକ୍ସିନ ଟାସ୍କ ଫୋର୍ସର ମୁଖ୍ୟ ଡେମ କେଟ କହିଛନ୍ତି । ଏହି ଭାଇରସ ପଶୁଙ୍କ ମଧ୍ୟରେ ବ୍ୟାପିପାରେ । ଏହାପରେ ଏହାର ସଂକ୍ରମଣ ମଣିଷ ମଧ୍ୟରେ ଦେଖିବାକୁ ମିଳିବ ଓ ଜଣଙ୍କଠାରୁ ଅନ୍ୟ ଜଣେ ମଣିଷର ଶରୀରକୁ ଏହା ବ୍ୟାପିପାରେ । ଦୁର୍ବଳ ଇମ୍ୟୁନିଟିଧାରୀଙ୍କ ପାଇଁ ଡିଜିଜ ଏକ୍ସ ଘାତକ ପ୍ରମାଣିତ ହୋଇପାରେ । ଏହାଦ୍ୱାରା ୪-୫ କୋଟି ଲୋକଙ୍କର ମୃତ୍ୟୁ ଘଟିବାର ଆଶଙ୍କା ରହିଥିବା ଶ୍ରୀ କେଟ କହିଛନ୍ତି ।

ଏନେଇ ଏକ୍ସପର୍ଟମାନେ କହିଛନ୍ତି, ସାରା ବିଶ୍ୱରେ ଭାଇରସ ସଂକ୍ରମଣର ଟ୍ରେସିଂ କରାଯାଉଛି । କିଛି ବର୍ଷ ଧରି ଡିଜିଜ ଏକ୍ସକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଆଗାମୀ କିଛି ବର୍ଷ ମଧ୍ୟରେ କିଛି ନୂଆ ମହାମାରୀ ଆସିବ । ନୂଆ ଭାଇରସକୁ ନେଇ ଆଲର୍ଟ ରହିବା ଜରୁରୀ, ମାତ୍ର ଭୟଭୀତ ହେବା ଆବଶ୍ୟକତା ନାହିଁ । କୋଭିଡ୍ ପରେ ଅନେକ ଟିକା ଉପରେ କାମ ଚାଲିଛି । ଏହି ଟିକା ଅଲଗା ଅଲଗା ଭାଇରସ ବିରୋଧରେ ଲଢ଼ିପାରିବ । ଡିଜିଜ ଏକ୍ସ ଏକ ନୂଆ ଭାଇରସ, ଜୀବାଣୁ, ବ୍ୟାକ୍ଟେରିଆ, ଫଙ୍ଗସ ବା କବବ ହୋଇପାରେ ବୋଲି ହୁ ପକ୍ଷରୁ କୁହାଯାଇଛି । ୧୯୧୮-୧୯୨୦ରେ ସ୍ପାନିଶ ଫ୍ଲୁରେ ସାରା ଦୁନିଆରେ ୫ କୋଟି ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଡିଜିଜ ଏକ୍ସ ମଧ୍ୟ ସେପରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.