ଓଡିଶା ଭାସ୍କର: ଖରାଦିନେ ଝାଳ, ଘିମିରି କିମ୍ବା ଡିହାଇଡ୍ରେସନ ହେବା ସହିତ ଡେଙ୍ଗୁ, ମ୍ୟାଲେରିଆ ,ଚିକନ୍-ଗୁନିଆ, ଡାଏରିଆ ଭଳି ସ°କ୍ରମଣ ଦେଖିବାକୁ ମିଳିଥାଏ।
ଏହା ସାଧାରଣତଃ ମଶା,ମାଛି କିମ୍ବା ଟିଙ୍କ କାମୁଡିବା ଦ୍ବାରା ହୋଇଥାଏ। ଯାହାକୁ ଭେକ୍ଟର ବର୍ଣ୍ଣ ଡିଜିଜ ବୋଲି କୁହାଯାଇଥାଏ। ତେଣୁ ଏହାର ସଠିକ କାରଣ ଜାଣି ସାବଧାନ ନରହିଲେ ଏହା ଜୀବନ ମଧ୍ୟ ନେଇପାରେ।
ଭେକ୍ଟର ବର୍ଣ୍ଣ ଡିଜିଜ୍ କ’ଣ?
ଜୀବାଣୁ, ଭୁତାଣୁ କିମ୍ବା ପାରାସାଇଟ୍ ସ°କ୍ରମଣ ଦ୍ୱାରା ହେଉଥିବା ରୋଗ ଯଥା ମଶା,ମାଛି କିମ୍ବା ଟିଙ୍କ କାମୁଡିବା ଦ୍ବାରା ମଣିଷ ଶରୀରକୁ ଯେଉଁ ରୋଗ ହୋଇଥାଏ ତାହାକୁ ଭେକ୍ଟର ବର୍ଣ୍ଣ ଡିଜିଜ କୁହାଯାଏ। ଭେକ୍ଟରର ଅର୍ଥ ରୋଗ-ବାହକ କୀଟ। ଏହି କୀଟମାନେ ଜଣେ ବ୍ୟକ୍ତିକୁ କାମୁଡି, ସ°କ୍ରମିତ ରକ୍ତ ଶୋଷିବା ପରେ ଅନ୍ୟ ଜଣେ ବ୍ୟକ୍ତିକୁ କାମୁଡି ସେହି ସ°କ୍ରମଣକୁ ବାଣ୍ଟିଥା’ନ୍ତି।
ଏହାର ଉଦାହରଣ ହେଉଛି ମ୍ୟାଲେରିଆ, ଡେଙ୍ଗୁ ,ଚିକନ୍-ଗୁନିଆ,ଡାଏରିଆ, କଲେରା, ଟାଇଫଏଡ ଇତ୍ୟାଦି। ଯାହା ସାଧାରଣତଃ ମଶା କାମୁଡିବା ଏବଂ ଶରୀର କିମ୍ବା ଖାଦ୍ୟ ଉପରେ ମାଛି ବସିବା ଦ୍ୱାରା ହୋଇଥାଏ।
ଏହି ରୋଗର ଲକ୍ଷଣ: ଏହି ରୋଗ ହେଲେ ଜ୍ବର ବା ଶରୀରର ତାପମାତ୍ରା ବଢିବା ସହିତ ଗୋଡ ହାତ ଘୋଳାବିନ୍ଧା ହେବା, ଥକ୍କା ଲାଗିବା, ଓକାର ଉଠାଇବା, ବାନ୍ତି ହେବା, ଦେହରେ ଛୋଟଛୋଟ ନାଲି ନାଲି ଦାନା ପରି ଫଳି ଯିବା, ଶରୀରର ଗଣ୍ଠି ଗୁଡିକ ପୀଡା ହେବା, ନାକ କିମ୍ବା ମାଢ଼ିରୁ ରକ୍ତ ବାହାରିବା, ତରଳ ବା ପତଳା ଝାଡା ହେବା, ପରିସ୍ରାର ମାତ୍ରା କମିଯିବା, ଡିହାଇଡ୍ରେସନ୍ ବା ଶରୀରରୁ ଜଳୀୟ ଅଂଶ କମିଯିବା, ବାଉଳି ଚାଉଳି ହେବା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ।
ଗ୍ରୀଷ୍ମ ଋତୁରେ ଭେକ୍ଟର ବର୍ଣ୍ଣ ଡିଜିଜ ଅଧିକ ବ୍ୟାପେ କାହିଁକି?
ଫୁଲ କୁଣ୍ଡ, ପୁରୁଣା ଟାୟାର, ଅଦରକାରୀ ମାଟି କିମ୍ବା ପ୍ଲାଷ୍ଟିକ ପାତ୍ର, ଖୋଲା ଡ୍ରେନ୍, ନାଳ ଆଦିରେ ପାଣି ଜମା ହୋଇ ସେଥିରେ ମଶା ମାନଙ୍କର ସହଜରେ ବ°ଶ ବୃଦ୍ଧି ଘଟିଥାଏ।
ଗରମ ଦିନ ହୋଇଥିବାରୁ ସମସ୍ତେ ଘର ବାହାରେ ଅଧିକ ସମୟ କାଟିଥାନ୍ତି ଏବଂ ଗରମ ଓ ଝଳାରୁ ରକ୍ଷା ପାଇବା ପାଇଁ ଢିଲା ଏବଂ ଛୋଟ ପୋଷାକ ପିନ୍ଧିଥାନ୍ତି ଯାହା ଫଳରେ ମାସ କାମୁଡ଼ିବାର ଆଶଙ୍କା ବଢ଼ିଯାଇଥାଏ। ସେଥିପାଇଁ ଗରମ ଦିନରେ ସାଧାରଣତଃ ଏହି ରୋଗ ବେଶି ପରିମାଣରେ ଦେଖାଦେଇଥାଏ।
ରୋଗ ନିୟନ୍ତ୍ରଣର ଉପାୟ:
ଘର ଚାରିପାଖ ସଫା ରଖିବା
ଭଙ୍ଗା, ଅଦରକାରୀ, ପୁରୁଣା ପାତ୍ରରେ ପାଣି ଜମା ନରଖି ଆବଶ୍ୟକ ସ୍ଥଳେ ବ୍ଲିଚି° ପାଉଡର ଛିଞ୍ଚିବା
ଝରକା ଏବଂ କବାଟରେ ଜାଲି ବ୍ୟବହାର କରିବା
ମଶାରୀ ବ୍ୟବହାର କରିବା
ଭୋର ଏବଂ ସନ୍ଧ୍ୟା ସମୟରେ ବାହାରେ ନବୁଲି କବାଟ -ଝରକା ବନ୍ଦ ରଖିବା
ଛୁଆ ମାନଙ୍କୁ ବୁଦା କିମ୍ବା ଡ୍ରେନ୍ ପାଖରେ ଖେଳିବା ପାଇଁ ନଦେବା
ଘର ପାଖରେ ଥିବା ଡ୍ରେନ୍ କୁ ସଫା ଏବଂ ଘୋଡାଇ ରଖିବା
ଆଖପାଖର ଅଳିଆ ଗଦା, ବୁଦା ସଫା ରଖିବା ଉଚିତ।