ନୂଆଦିଲ୍ଲୀ: ହିମାଳୟ ପର୍ବତ, ଯାହା ଭାରତର ସୀମାରେଖାରେ ଦମ୍ଭ ହୋଇ ଠିଆ ହୋଇଛି । ଏଥିରେ ୯୫୭୫ ଗ୍ଲାସିୟର ରହିଥିବା ବେଳେ କେବଳ ଉତ୍ତରାଖଣ୍ଡରେ ରହିଛି ୯୬୮ ଗ୍ଲେସିୟର । ସେପଟେ ଗଙ୍ଗା, ଯମୁନା, ସରସ୍ୱତୀ, ଘାଘରା ଏବଂ ମନ୍ଦାକିନୀ ଭଳି ନଦୀ ଜୀବଜଗତକୁ ଆଗକୁ ନେଉଛି । କିନ୍ତୁ ଥରେ ଚିନ୍ତା କରନ୍ତୁ, ଯଦି ଏସବୁ ନଦୀର ସ୍ରୋତ କମ୍ ହୋଇଯାଏ କିମ୍ବା ବନ୍ଦ ହୋଇଯାଏ, ତେବେ କ’ଣ ହେବ? ଦିନକୁ ଦିନ ବୃଦ୍ଧି ପାଉଥିବା ଗରମ ଯୋଗୁଁ ଯଦି ଏହି ବରଫ ତରଳି ଯାଏ, ତେବେ ସୃଷ୍ଟିର ଅବସ୍ଥା କ’ଣ ହୋଇପାରେ? ଥରେ ଆକଳନ କରନ୍ତୁ ।
ଦେଶର ସବୁଠୁ ପବିତ୍ର ବୋଲି କୁହାଯାଉଥିବା ଗଙ୍ଗାନଦୀ ଏହି ଗ୍ଲେସିୟରର ଗୌମୁଖରୁ ନିର୍ଗତ ହୋଇଛି । ତେବେ ଡେରାଡୁନର ବାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଜିଓଲୋଜିର ବୈଜ୍ଞାନିକ ଡ. ରାକେଶ ଭାମ୍ବରୀ ଏହା ଉପରେ ଏକ ରିସର୍ଚ୍ଚ କରିଥିଲେ । ତେବେ ଏହି ରିସର୍ଚ୍ଚରୁ ଜଣାଯାଇଛି ଯେ, ୧୯୩୫ରୁ ୨୦୨୨ ପର୍ଯ୍ୟନ୍ତ ଗଙ୍ଗୋତ୍ରୀ ଗ୍ଲେସିୟର ମୁହାଣରୁ ୧୭୦୦ ମିଟର ତରଳି ସାରିଛି । ବୃଦ୍ଧି ପାଉଥିବା ତାପମାତ୍ରା ସହିତ ସ୍ୱଳ୍ପ ବରଫପାତ ଏବଂ ମାତ୍ରାଧିକ ବର୍ଷା ଏହାର ମୁଖ୍ୟ କାରଣ ବୋଲି କହିଛି ରିସର୍ଚ୍ଚ ।
ଗଙ୍ଗୋତ୍ରୀ ଗ୍ଲେସିୟରର ଲମ୍ବ ୩୦ କି.ମି ହୋଇଥିବା ବେଳେ ଗତ ୮୭ ବର୍ଷ ମଧ୍ୟରେ ଏହା ୧୭୦୦ ମିଟର ତରଳି ସାରିଲାଣି । ତେବେ ଏହା ସମ୍ପୂର୍ଣ୍ଣ ତରଳିବା ପାଇଁ କେତେ ସମୟ ନେବ ତାହା କହିବା କଷ୍ଟକର । ଗତ ୨୦୧୭ ଜୁଲାଇ ମାସରେ ଲଗାଣ ବର୍ଷା ଯୋଗୁଁ ଏଠାରେ ଡାଉନଷ୍ଟ୍ରୀମରେ ଜଳପ୍ରବାହ ଖୁବ ବୃଦ୍ଧି ପାଇଥିଲା । ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ୨ଟି ଗ୍ଲେସିୟର ଉପରେ ନଜର ରଖିଛନ୍ତି ।
ତେବେ ଗ୍ଲେସିୟର ତରଳିବାର ଗତିକୁ ନେଇ ଏହା କେବେ ସମ୍ପୂର୍ଣ୍ଣ ତରଳିବ ତାହା କହିବା ସହଜ ନୁହେଁ । ଗତ ୧୯୩୫ରୁ ୧୯୯୬ ମଧ୍ୟରେ ଏହି ଗ୍ଲେସିୟର ବାର୍ଷିକ ୨୦ ମିଟର ତରଳୁଥିବା ବେଳେ ଏହା ଏବେ ବୃଦ୍ଧି ପାଇ ୩୮ ମିଟର ହୋଇଛି । ରେକର୍ଡ ଦେଖିଲେ ଗ୍ଲେସିୟର ତରଳିବାର ହାର ବାର୍ଷିକ ୧୯.୫୪ ମିଟର ରହିଛି । ତେବେ ଏହି ହିସାବରେ ଆସନ୍ତା ୧୫୩୫ ରୁ ୧୫୦୦ ବର୍ଷ ମଧ୍ୟରେ ଗଙ୍ଗୋତ୍ରୀ ତରଳିଯିବା ନେଇ ଅନୁମାନ କରିଛନ୍ତି ଡ. ରାକେଶ ଭାମ୍ବରୀ ।