Breaking: କେବେ କମିବ ମହିଳା ବିରୋଧୀ ଅପରାଧ, ରାଜ୍ୟରେ ୮ ମାସରେ ୧୮ ହଜାର ମାମଲା ରୁଜୁ

କମିବାର ନାଁ ଧରୁନି ମହିଳା ବିରୋଧୀ ଅପରାଧ। ୮ ମାସ ଭିତରେ ରାଜ୍ୟରେ ୧୮ ହଜାର ମାମଲା ରୁଜୁ। ଶୂନ୍ୟକାଳରେ ସୋଫିଆଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ି ବଢି ଚାଲିଛି ମହିଳା ବିରୋଧୀ ଅପରାଧ। କେତେବେଳେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ଘଟଣା ହେଉ, କିମ୍ୱା ଜୀବନରୁ ମାରିଦେବା ଘଟଣା ହେଉ। ଅବା ଦୁଷ୍କର୍ମ ଘଟଣା ହେଉ। ଯାହାକି ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି।

ଯାହାର ରିପୋର୍ଟ ପ୍ରଦାନ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସଂନ୍ଧ୍ୟାରେ ଘୋଷଣା ହେବ ରାଜ୍ୟ ବଜେଟ୍। ତା ପୂର୍ବରୁ ବିଧାନସଭାରେ ଶୂନ୍ୟକାଳ ଚାଲିଛି। ଯେଉଁଥିରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ସରକାରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ।

ଯେଉଁଥିରେ ସାମିଲ ଥିଲା ମହିଳା ବିରୋଧୀ ଅପରାଧ ମାମଲା। ଯାହାର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଗତ ୮ ମାସର ରିପୋର୍ଟ ଦେଇଛନ୍ତି। ରିପୋର୍ଟ ଅନୁସାରେ ଗତ ୮ ମାସ ଭିତରେ ୧୮ ହଜାର ୧ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି।

ଯେଉଁଥିରେ ୧୭ ହଜାର ୨୧ଟି ମାମଲା ବିଚାରଧୀନ ଅଛି। ଏହାଛଡା ଅନ୍ୟ ୭୩୮ଟି ମାମଲାରେ ଚାର୍ଜସିଟ୍ ହୋଇଛି। ଏହା ବ୍ୟତୀତ ୨୧୭ଟି ମାମଲାର ଫଇସଲା ସରିଛି। ୨୫ଟିର ଫାଇନାଲ ରିପୋର୍ଟ ଦିଆଯାଇଛି ବୋଲି ଶୂନ୍ୟକାଳରେ କହିଛନ୍ତି ମୋହନ।