fbpx

କେଉଁଠି ରଖାଯିବ ମନ୍ଦିରର ରତ୍ନ ଅଳଙ୍କାର? କିପରି ହେବ ଗଣତି? ଜାଣନ୍ତୁ ପରବର୍ତ୍ତୀ ପଦକ୍ଷେପ

ଓଡ଼ିଶା ଭାସ୍କର: ୪୬ ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲାଯାଇଛି । ରତ୍ନଭଣ୍ଡାରରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୂଲ୍ୟ ସୁନା-ରୂପା ଅଳଙ୍କାର ଏବଂ ରତ୍ନ ଇତ୍ୟାଦିର ରହସ୍ୟ ଫିଟାଇଛନ୍ତି ମନ୍ଦିର ପ୍ରଶାସନ ଏବଂ ସରକାର । ରତ୍ନଭଣ୍ଡାର ଖୋଲାଯିବା ପରେ ଏହାକୁ ସିନ୍ଦୁକରେ ସୁରକ୍ଷିତ ଭାବରେ ସାଇତି ରଖାଯାଇଛି । ଏହିସବୁ ଅଳଙ୍କାର ଏବଂ ସୁନାଗହଣାକୁ ଡିଜିଟାଲ ଲିଷ୍ଟିଙ୍ଗ କରିବା ସହ ଏହାର ଓଜନ ଏବଂ ନିର୍ମାଣ ଆଦି ତଥ୍ୟ ରେକର୍ଡ କରାଯିବ । ତେବେ ରତ୍ନ ଅଳଙ୍କାର ଭରିବା ପରେ ଏବେ ଏହି ସିନ୍ଦୁକ କେଉଁଠି ରହିବ? କେମିତି ହେବ ରତ୍ନ ଆଭୂଷଣର ଗଣତି?

ଓଡ଼ିଶା ହାଇକୋର୍ଟର ପୂର୍ବ ନ୍ୟାୟାଧୀଶ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ ଜଣିଆ ସଦସ୍ୟ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଗଣନା କରିବେ । ଏହାପରେ ଭାରତୀୟ ପୂରାତତ୍ତ୍ୱ ସର୍ବେକ୍ଷଣର ଏକ୍ସପର୍ଟ ରତ୍ନଭଣ୍ଡାରର ସର୍ଭେ କରିବେ । ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ବାହାରକୁ ବାହାର କରାଯିବ । ଏହାପରେ ରତ୍ନ ଅଳଙ୍କାର ଇତ୍ୟାଦିକୁ କାଠ ସିନ୍ଦୁକରେ ଭରି ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯିବ । ଏଥିପାଇଁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ମଧ୍ୟ ଚିହ୍ନଟ ହୋଇସାରିଛି । ଏଠାରେ ସିସିଟିଭି କ୍ୟାମେରା ଲାଗିବା ସହିତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।

ମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ କହିଛନ୍ତି ଯେ, ରତ୍ନର ଗଣତି ଏବଂ ଏହାକୁ ଚିହ୍ନଟ କରିବା ପ୍ରକ୍ରିୟା ଆଜି ଆରମ୍ଭ ହେବ ନାହିଁ । ସୁନା କାରିଗର ଏବଂ ଅନ୍ୟ ଏକ୍ସପର୍ଟଙ୍କୁ ଏଥିପାଇଁ ନିଯୁକ୍ତି କରାଯିବ । ତେବେ ସେମାନଙ୍କୁ ଦେକିବା ପାଇଁ ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିବା ପରେ ହିଁ ଭଣ୍ଡାରର ରତ୍ନସବୁ ଗଣତି ହେବ । ତେବେ ବର୍ତ୍ତମାନ ରତ୍ନ ଅଳଙ୍କାର ଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ରତ୍ନଭଣ୍ଡାରର ପୁନିର୍ମାଣ ପରେ ସମସ୍ତ ଅଳଙ୍କାର ଏବଂ ଆଭୂଷଣ ଇତ୍ୟାଦି ପୁଣିଥରେ ରତ୍ନଭଣ୍ଡାରରେ ରଖି ଦିଆଯିବ । ରତ୍ନ-ଆଭୂଷଣକୁ ନେବା ପାଇଁ ସ୍ୱତନ୍ତ୍ର ସିନ୍ଦୁକ ବ୍ୟବସ୍ଥା କରାଯାଇଛି । ୪.୫ ଫୁଟ ଲମ୍ବ, ୨.୫ ଫୁଟ ଉଚ୍ଚ ଏବଂ ୨.୫ ଫୁଟ ଚଉଡ଼ା ଏହି ସିନ୍ଦୁକରେ ରହିବ ମହାପ୍ରଭୁଙ୍କ ରତ୍ନ ଆଭୂଷଣ ।

ରତ୍ନଭଣ୍ଡାରର ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ୩ଟି ଏସଓପି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଅରବିନ୍ଦ ପାଢୀ । ପ୍ରଥମରେ ରତ୍ନଭଣ୍ଡାର ଖୋଲାଯିବ, ଦ୍ୱିତୀୟରେ ଅସ୍ଥାୟୀ ରତ୍ନଭଣ୍ଡାର ନିର୍ମାଣ କରାଯିବ ଏବଂ ତୃତୀୟରେ ଅମୂଲ୍ୟ ସମ୍ପଦଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବ । ତେବେ ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକର ଡିଜିଟାଲ କାଟାଲଗ୍ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ସେଗୁଡ଼ିକର ଓଜନ ଏବଂ ପ୍ରସ୍ତୁତି ଇତ୍ୟାଦିର ବିବରଣୀ ରହିବ ।

Get real time updates directly on you device, subscribe now.