ସତରେ କ’ଣ ବଲିଉଡକୁ ପଛରେ ପକାଇ ଦେଇଛି ସାଉଥ୍ ଇଣ୍ଡଷ୍ଟ୍ରି: ଅଜୟ, ଅକ୍ଷୟ, ରଣବୀର, ଜନଙ୍କ ସ୍ଥାନ ନେଇଯିବେ କି ପ୍ରଭାସ, ଅଲ୍ଲୁ, ୟଶ, ରାମ ଚରଣ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ଭାରତବର୍ଷରେ ସାଉଥ୍ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି । ସାଉଥ୍ ଷ୍ଟାରଙ୍କ ଅଭିନୀତ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ । ପରିସ୍ଥିତି ଏପରି ହୋଇଛି ଯେ, ବଲିଉଡକୁ ଆଗାମୀ ଦିନରେ ସାଉଥ୍ ଇଣ୍ଡଷ୍ଟ୍ରି ଗିଳିଦେବ ବୋଲି କିଛିଦିନ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ହୋଇପାରେ ବଲିଉଡର ଷ୍ଟାଣ୍ଡାର୍ଡ ଉପରେ ରହିଛି, ମାତ୍ର ଦିନକୁ ଦିନ ସାଉଥ୍ ଫିଲ୍ମଗୁଡ଼ିକର ଜଲୱା ଫ୍ୟାନ୍ସଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ।
ନିକଟରେ ହିନ୍ଦି ଭାଷାକୁ ନେଇ ସାଉଥ୍ ଆକ୍ଟର କିଚ୍ଚା ସୁଦୀପ ଓ ବଲିଉଡ ଆକ୍ଟର ଅଜୟ ଦେବଗନଙ୍କ ମଧ୍ୟରେ ଫାଇଟ୍ ଦେଖିବାକୁ ମିଳିଥିଲା । ‘ରନୱେ ୩୪’ ଫେମ୍ ଅଜୟ କହିଥିଲେ ଯେ, ହିନ୍ଦି ଆମର ମାତୃଭାଷା ଓ ରାଷ୍ଟ୍ରୀୟ ଭାଷା ଅଟେ ଓ ରହିବ । ଏନେଇ ସୁଦୀପ ଜବାବ ଦେଇଥିଲେ ଯେ, ହିନ୍ଦି ଭାଷାକୁ ନେଇ ସେଲିବ୍ରେଟିଙ୍କ ମଧ୍ୟରେ ବିବାଦ ବଢ଼ୁଥିବା ଦେଖାଯାଉଛି ।
ତେବେ ଏହାପରେ ଫିଲ୍ମନିର୍ମାତା ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍ ପୁଣି ଥରେ ବିବାଦ ବଢ଼ାଇଛି । ସେ କହିଛନ୍ତି ଯେ, ମୁଁ ଅଜୟ ଦେବଗଡ଼, ଅକ୍ଷୟ କୁମାର, ରଣବୀର କପୁର, ରଣବୀର ସିଂହ ଓ ଜନ ଆବ୍ରାହମଙ୍କୁ ଚ୍ୟାଲେଞ୍ଜ ଦେଉଛି । ସେମାନେ ନିଜର ହିନ୍ଦି ଫିଲ୍ମକୁ ତେଲୁଗୁ ଓ କନ୍ନଡ଼ ଭାଷାରେ ଡବିଂ କରି ଦେଖାନ୍ତୁ । ପ୍ରଭାସ, ରାମ ଚରଣ, ଅଲ୍ଲୁ ଅର୍ଜୁନ ଓ ୟଶଙ୍କ ଫିଲ୍ମର କଲେକ୍ସନଠାରୁ ବଲିଉଡର ଷ୍ଟାରଙ୍କର କଲେକ୍ସନ ଅଧିକ ହେବା ଜରୁରୀ । ସାଉଥ୍ ଷ୍ଟାରମାନେ ବଲିଉଡରେ ଏଣ୍ଟ୍ରି ମାରି ଅକ୍ଷୟ, ଅଜୟ, ରଣବୀର, ଜନଙ୍କ ପରି ହିନ୍ଦୀ ଷ୍ଟାରଙ୍କର ଧଜ୍ଜିଆ ଉଡ଼ାଇ ଦେଇଛନ୍ତି ।