fbpx

ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ଫୋନରେ କଥା ହୋଇଥିଲା, ପରଦା ପଛରେ ରହିଛି ଆଉ କାହାର ହାତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଗୋବିନ୍ଦକୁ ପୋଲିସ ରିମାଣ୍ଡରେ ଆଣିବା ପରେ ଆଜି ଭୋର ୪ଟାରୁ ସିନ୍ ରିକ୍ରିଏସନ୍ କରାଇଛି । ୨୦ରୁ ୨୫ ମିନିଟର ଏହି ଡେମୋରେ ମମିତାଙ୍କୁ ଗୋବିନ୍ଦ କିପରି ହତ୍ୟା କରିଥିଲା, ତାହାର ଡେମୋ ଦେଖାଇଥିଲା । ତେବେ ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ଫୋନରେ କଥା ହୋଇଥିବା ଜଣାପଡ଼ିଛି । ଉକ୍ତ ବ୍ୟକ୍ତିଙ୍କର ଏହି ହତ୍ୟା ପଛରେ ହାତ ଥିବା ସନ୍ଦେହ କରାଯାଉଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଏହି ଘଟଣା ପଛରେ ରହିଛି, ସେମାନଙ୍କୁ ପୋଲିସ କେବେ ତଦନ୍ତ ପରିସରଭୁକ୍ତ କରିବ? ଗୋବିନ୍ଦ କାହା ସହ କଥା ହୋଇଥିଲା ତାହା ଫୋନ୍ କଲ ଡିଟେଲ୍ସ ଯାଞ୍ଚ ପରେ ସ୍ପଷ୍ଟ ହୋଇପାରେ । ଯେଉଁଭଳି ଷ୍ଟାଇଲରେ ହତ୍ୟାର ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିଲା, ତାହା ଘଟଣାକୁ ଆହୁରି ଅଧିକ ସନ୍ଦେହ ଆଡ଼କୁ ଟାଣି ନେଉଛି । ଗତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଫେରାର ରହିଥିବା ଗୋବିନ୍ଦ ଏହି ପ୍ରମାଣ ନଷ୍ଟ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହେଉଛି । ଯେତେ ବଳବାନ ବ୍ୟକ୍ତି ହେଲେ ବି ଜଣେ ମହିଳାଙ୍କୁ ଏକା ହତ୍ୟା କରିବା ଏତେ ସହଜ ହୋଇନପାରେ । ପୁଣି ହତ୍ୟା କରିବା, ପୋତିବା, ପୋଡ଼ିବା ଆଦି କାର୍ଯ୍ୟ ଜଣେ ଏକୁଟିଆ କଦାପି କରିପାରିବ ନାହିଁ । ତେଣୁ ଏହି ହତ୍ୟା ପଛରେ ଅନେକ ବ୍ୟକ୍ତିଙ୍କ ହାତ ରହିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.