fbpx

ସୋଲାପୁର ଆସନରୁ ବିଜୟୀ ହୋଇଥିବା କିଏ ପ୍ରଣିତୀ ଶିନ୍ଦେ ? ଜାଣନ୍ତୁ କେତେ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିଛନ୍ତି

Advertisement

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁର ଲୋକସଭା ଆସନରେ କଂଗ୍ରେସ ବିଜୟ ପତାକା ଲହରାଇଛି । କଂଗ୍ରେସ ପ୍ରାର୍ଥୀ ପ୍ରଣିତୀ ଶିନ୍ଦେ ୭୪ ହଜାରରୁ ଉଦ୍ଧେ୍ୱର୍ ଭୋଟ ବ୍ୟବଧାନରେ ବିଜେପିର ରାମ ସତପୁତେଙ୍କୁ ପରାସ୍ତ କରିଛନ୍ତି । ସୋଲାପୁର ଲୋକସଭା ଅଞ୍ଚଳରେ ମୋଟ୍ ୨୧ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଏଠି ମୁଖ୍ୟତଃ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା ।

ଏକଦା ସୋଲାପୁରକୁ କଂଗ୍ରେସର ଗଡ଼ ଭାବେ ବିବେଚିତ କରାଯାଉଥିଲା । ୨୦୧୪ରେ ମୋଦୀ ଲହରରେ ବିଜେପି କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେଙ୍କୁ ଏହି ଆସନରୁ ପରାସ୍ତ କରିଥିଲେ । ୨୦୧୯ରେ ମଧ୍ୟ ବିଜେପିର ଜୟସିଦ୍ଧେଶ୍ୱର ସ୍ୱାମୀ ସୁଶୀଲଙ୍କୁ ୧, ୫୮, ୬୦୮ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏହା ପରେ ସୁଶୀଲ ଲୋକସଭା ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ସୁଶୀଲ କୁମାର ଶିନ୍ଦେ ସେତେବେଳେ ଚର୍ଚ୍ଚିତ ନେତାଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ସୁପୁତ୍ରୀ ହେଉଛନ୍ତି ପ୍ରଣିତୀ ଶିନ୍ଦେ । ୪୩ ବର୍ଷୀୟ ପ୍ରଣିତୀ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ଅର୍ଥଶାସ୍ତ୍ର ଏବଂ ରାଜନୀତିରେ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ସେ ଗଭର୍ଣ୍ଣମେଣ୍ଟ ଲ’ କଲେଜରୁ ଅଧ୍ୟୟନ ଶେଷ କରିଥିଲେ । ସୋଲାପୁରରେ କଂଗ୍ରେସର ଚର୍ଚ୍ଚିତ ଚେହେରା ଭାବେ ବେଶ ପରିଚିତ ଥିଲେ ପ୍ରଣିତୀ । ରାଜନୀତି କ୍ୟାରିୟରରେ ତାଙ୍କୁ ପିତାଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିଛି । ପ୍ରଣିତୀ ତାଙ୍କ ପିତାଙ୍କ ପରି ଉତ୍ତମ ଜନସମ୍ପର୍କ ସ୍ଥାପନ କରିଥିଲେ । ୨୦୨୧ରେ ସେ ମହାରାଷ୍ଟ୍ର ପ୍ରଦେଶ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ଅନେକ ସମୟରେ ସେ ତାଙ୍କ ନିର୍ଭିକ ବ୍ୟବହାର ଏବଂ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥିଲେ । ସେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ମଧ୍ୟ ।

ଏହି ବିଜୟ ହାସଲ କରି ପ୍ରଣିତୀ ଶିନ୍ଦେ ପରିବାରକୁ ବଡ଼ ଖୁସି ଦେଇଛନ୍ତି । ଚଳିତ ନିର୍ବାଚନରେ ତାଙ୍କୁ ମୋଟ୍ ୬, ୨୦, ୨୨୫ ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରାମ ସତପୁତେଙ୍କୁ ମୋଟ୍ ୫, ୪୬, ୦୨୮ ଭୋଟ୍ ମିଳିଛି ।

Get real time updates directly on you device, subscribe now.