IND vs ENG ପ୍ରଥମେ ଟେଷ୍ଟରେ କିଏ ହେବେ ରୋହିତଙ୍କ ବ୍ରହ୍ମାସ୍ତ୍ର? ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ତେବେ ଏଥିପାଇଁ ଇଂଲଣ୍ଡ ନିଜର ଦଳ ଘୋଷଣା କରିସାରିଛି । କିନ୍ତୁ ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନାହିଁ । ତେବେ ଏହାପୂର୍ବରୁ ରୋହିତ ଦଳକୁ ନେଇ ଅନେକ ସଂକେତ ଦେଇ ସାରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ କିଛି ମ୍ୟାଚରେ ୩ ଜଣ ସ୍ପିନରଙ୍କୁ ଖେଳାଇବା ଆବଶ୍ୟକ ବୋଲି କହିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ତେବେ ଏଥିପାଇଁ ଅକ୍ସର ପଟେଲ ଏବଂ କୁଳଦୀପ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ ।

ପ୍ରେସ କନଫରେନ୍ସରେ ରୋହିତ କହିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ପ୍ରଥମ କିଛି ମ୍ୟାଚରେ ଭାରତୀୟ ଦଳରେ ତୃତୀୟ ସ୍ପିନ ବୋଲରଙ୍କ ଆବଶ୍ୟକ ରହିବ । ଏଥିପାଇଁ ଅକ୍ସର ପଟେଲ ଏବଂ କୁଳଦୀପ ଯାଦବଙ୍କ ମଧ୍ୟରୁ ଜଣକୁ ଦଳରେ ସୁଯୋଗ ମିଳିପାରେ । ଏହାର ଅର୍ଥ ପ୍ରଥମ ୨ ଜଣ ସ୍ପିନର ଭାବରେ ରବିଚନ୍ଦ୍ରନ ଅଶ୍ୱୀନ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ସୁଯୋଗ ମିଳିବା ନେଇ ରୋହିତ ସଂକେତ ଦେଇଛନ୍ତି । ଏହାପରେ କୁଳଦୀପଙ୍କୁ ନେଇ ରୋହିତ କହିଛନ୍ତି ଯେ, ତାଙ୍କ ନିକଟରେ ଖୁବ ଭେରିଏସନ୍ ରହିଛି । ସେ ବର୍ତ୍ତମାନ ଜଣେ ପରିପକ୍ୱ ଖେଳାଳି ହୋଇ ସାରିଛନ୍ତି । କିନ୍ତୁ ଅଶ୍ୱୀନ-ରୋହିତଙ୍କ ଯୋଡ଼ି ପାଇଁ କୁଳଦୀପ ଅଧିକ ଟେଷ୍ଟ ମ୍ୟାଚ ଖେଳି ପାରୁନାହାନ୍ତି । ତେବେ ତାଙ୍କ ଟାଲେଣ୍ଟକୁ ଲୁଚା ଯାଇ ପାରିବ ନାହିଁ । କିନ୍ତୁ ଟିମ ଇଣ୍ଡିଆ ପାଇଁ ସେ ଜଣେ ଭଲ ବିକଳ୍ପ ହୋଇ ପାରନ୍ତି । ତେବେ ରୋହିତଙ୍କ ଏହି ବୟାନ୍ କହୁଛି ଯେ, ଭାରତ ପାଇଁ ଇଂଲଣ୍ଡ ବିପକ୍ଷରେ ତୃତୀୟ ସ୍ପିନର ଭାବରେ କୁଳଦୀପ ଯାଦବ ଖେଳିପାରନ୍ତି ।

ରୋହିତ ମ୍ୟାଚ୍ ପାଇଁ ଅନ୍ତିମ ଦଳ ପ୍ରକାଶ କରିନଥିଲେ ମଧ୍ୟ ଅକ୍ଷର ପଟେଲ ମଧ୍ୟ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇପାରନ୍ତି । ଜଣେ ଅଲରାଉଣ୍ଡର ଭାବରେ ସେ ଜାଡେଜା ଏବଂ ଅଶ୍ୱୀନଙ୍କ ସହ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରନ୍ତି । ରୋହିତ କହିଛନ୍ତି, ଅକ୍ଷରଙ୍କ ଅଲରାଉଣ୍ଡର ଦକ୍ଷତା ଦଳକୁ ବ୍ୟାଟିଂରେ ଗଭୀରତା ଦେଇପାରିବ। ଟେଷ୍ଟ କ୍ରିକେଟରେ ଏଭଳି ପରିସ୍ଥିତିରେ ସେ ସ୍ଥିରତା ଦେଖାଇଛନ୍ତି । ସେ କହିଛନ୍ତି, ‘କିନ୍ତୁ ଏହି ଦୁଇଟି ମଧ୍ୟରୁ ଜଣକ ଉପରେ ନିଷ୍ପତ୍ତି ନେବା ଆମ ପାଇଁ ସହଜ ହେବନାହିଁ ।

ପ୍ରଥମ ଟେଷ୍ଟ ପାଇଁ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ଶ୍ରେୟସ ଆୟର, କେ.ଏଲ ରାହୁଲ, ରବିନ୍ଦ୍ର ଜାଡେଜା, କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ/କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ।