fbpx

ପଦ୍ମପୁର ଉପ ନିର୍ବାଚନରେ କମ୍ପୁଛି ଧର୍ମେନ୍ଦ୍ରଙ୍କ ସ୍ଵର , ୨୦୨୪ ନିର୍ବାଚନ ପାଇଁ ଫିଟିବ କି ଦ୍ୱାର !

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନକୁ ଆଉ ବାକି ରହିଲା ଆଉ ମାତ୍ର ୪ ଦିନ। ଚରମରେ ପହଞ୍ଚିଛି ନିର୍ବାଚନୀ ପ୍ରଚାର ଏବଂ ରାଲି। ନେତାଙ୍କୁ ଫୁରସତ୍ ବି ନାହିଁ। ବିଜେଡି ଏବଂ ବିଜେପି ପରସ୍ପରକୁ ଚେକ୍ ଦେବା ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ପ୍ରସ୍ତୁତ ନାହାନ୍ତି। ଏହି କ୍ରମରେ ଚାରି ଦିନ ନିର୍ବାଚନୀ ପ୍ରଚାରରେ ଜୁଟି ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଦ୍ମପୁର ଉପ ନିର୍ବାଚନ ଦେଖିଲେ ଲାଗୁଛି ୨୦୨୪ରେ ବିଜେପି ଏବଂ ବିଜେଡି ମଧ୍ୟରେ ଆରପାରର ଲଢେଇ ହେବ। ତେବେ ପଦ୍ମପୁର ଉପ ନିର୍ବାଚନରେ ବିଜେପି ପାଇଁ ବଡ ଚେହେରା ପାଲଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଂପ୍ରତି ଚାରି ଦିନ ମାରାଥନ ପ୍ରଚାରରେ ଜୁଟି ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରଧାନ। ସବୁଠୁ ବଡ କଥା ଏହି ଉପ ନିର୍ବାଚନରେ ଭୁବନେଶ୍ଵର ସାଂସଦ ତଥା ଅପରାଜିତା ଷଡଙ୍ଗୀଙ୍କ ସକ୍ରିୟତା କମ ଦେଖିବାକୁ ମିଳିଛି। ସେ ଷ୍ଟାର ପ୍ରଚାରକ ତାଲିକାରେ ଥିଲେ ହେଁ ତାଙ୍କର ଶାଣିତ ସ୍ଵର ପଦ୍ମପୁରରେ ସେତେଟା ଦେଖିବାକୁ ମିଳିନି।

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମପୁର ଉପ ନିର୍ବାଚନ ଉଭୟ ଶାସକ ବିଜେଡି ଏବଂ ବିଜେପି ପାଇଁ ସମ୍ମାନର ବିଷୟ ପାଲଟିଛି। ଆଗାମୀ ବିଧାନସଭା ନିର୍ବାଚନରେ ଜନତାଙ୍କ ମୁଡ୍ କେମିତି ରହିବ ପଦ୍ମପୁର ନିର୍ବାଚନର ଫଳାଫଳରୁ କିଛିଟା ଆକଳନ କରାଯାଇ ପାରିବ। ଯଦି ଓଡିଶା ରାଜନୀତି ଉପରେ ନଜର ପକାଇବା କେବଳ ଗୋଟିଏ ବ୍ୟତିକ୍ରମ ନଜର ଆସୁଛି, ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ବିରୋଧରେ ଏ ଯାଏଁ ବିରୋଧୀ ଦଳ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଦେଇ ପାରି ନାହାନ୍ତି। କିନ୍ତୁ ବିଜେପି ତରଫରୁ କିଏ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ପ୍ରାର୍ଥୀ କୁହାଯାଏ ତେବେ ଦୁଇଟି ନାମ ସାମ୍ନାକୁ ଆସିଥାଏ, ସେ ହେଉଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତ ଷଡଙ୍ଗୀ। ବେଳେ ବେଳେ ଏହି ଦୁଇ ନାମକୁ ନେଇ ବିଜେପିରେ ଖୁବ୍ ଚର୍ଚ୍ଚା ହୁଏ। ରାଜ୍ୟ ରାଜନୀତିର ଘଟଣାବଳୀ ଉପରେ ନଜର ପକାଇଲେ ଏହା ପ୍ରତୀତମାନ ହୁଏ ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ରାଜ୍ୟ ବିଜେପିର ବୋଧହୁଏ ଅସ୍ଥିତ୍ଵ ନାହିଁ। ଅପରାଜିତା ଷଡଙ୍ଗୀଙ୍କ ଅପେକ୍ଷା ଦଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧିକ ଗୁରୁତ୍ଵ ଦେଇଥାଏ। ତାହାର ସଦ୍ୟତମ ଉଦାହରଣ ଆପଣ ପଦ୍ମପୁର ଉପ ନିର୍ବାଚନରେ ଦେଖିବାକୁ ମିଳିଛି।

ଉଭୟ କେନ୍ଦ୍ର ଆଉ ରାଜ୍ୟରେ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କର ଦବଦବା ବଢ଼ିବାରେ ଲାଗିଛି । ଯେଉଁଠାରେ କି ଅପରାଜିତାଙ୍କ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟକଳାପ ନଜର ଆସୁନାହିଁ । କିନ୍ତୁ ଦେଖିବାକୁ ଗଲେ ଉଭୟ ବିଜେପି ନେତା ସରକାରଙ୍କୁ ନିଜସ୍ୱ ଢ଼ଙ୍ଗରେ ପ୍ରଶ୍ନ କରିବାର ଦୃଷ୍ଟାନ୍ତ ଅନେକ ରହିଛି । ଯେଉଁଠାରେ ବଡ ବଡ ବିଜେପି ନେତାଙ୍କ ମୁହଁ ଖୋଲେ ନାହିଁ ସେଠାରେ ଏହି ଦୁଇ ନେତା ଓଡିଶାବାସୀଙ୍କ ପାଇଁ ସବୁ ବେଳେ ସରକାରଙ୍କୁ ଟାର୍ଗେଟ କରନ୍ତି ।

୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ଏଡାଇ ଦିଆଯାଇନପାରେ। ଦୌଡରେ ଅପରାଜିତଙ୍କ ନାମ ବି ରହିପାରେ। କିନ୍ତୁ ରାଜ୍ୟର ପ୍ରତିଟି ନିର୍ବାଚନ ଏବଂ ଏହାର ପ୍ରଚାର ଗତିବିଧିରେ ବିଜେପି ତରଫରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଗତିବିଧି ଦେଖିଲେ ଲାଗୁଛି ଯେ, ଧର୍ମେନ୍ଦ୍ର ପ୍ରଧାନ ଅପରାଜିତାଙ୍କ ତୁଳନାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଉଚିତ୍ ମଣିବେ। ଆଉ ଦଳ ମଧ୍ୟ ଅପରାଜିତାଙ୍କ ତୁଳନାରେ ଧର୍ମେନ୍ଦ୍ରଙ୍କୁ ଅଧିକ ଗୁରୁତ୍ଵ ଦେଇ ଆସିଛି। ଏହା ପଦ୍ମପୁର ଉପ ନିର୍ବାଚନରେ ସ୍ପଷ୍ଟ ବାରି ହୋଇ ପଡିଛି। ସେ ଧାମନଗର ହେଉ କି ଏବେ ପଦ୍ମପୁର ବିଜେପିର ପ୍ରଚାରରେ ମୁଖ୍ୟ ଚେହେରା ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟପଟେ ପ୍ରଚାରରେ ଅପରାଜିତାଙ୍କ ଉପସ୍ଥିତି ସେତେଟା ନଜରକୁ ଆସିନାହିଁ।

ରାଜନୈତିକ ସମୀକ୍ଷକଙ୍କ ମତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପି କେବେ ବି ଅପରାଜିତା ଷଡଙ୍ଗୀଙ୍କୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ନାହିଁ। ଯଦିଓ ବିଜେପି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନପାରେ ତଥାପି ଦଳର ଚେହେରା କହିଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ବୁଝାଏ। ରାଜ୍ୟ ବିଜେପିରେ ଦଳର ବଡ ବଡ ନିଷ୍ପତ୍ତି ଏବଂ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଷ୍ପତ୍ତି ହିଁ ସର୍ବୋପରି ରହିଥାଏ। ତେଣୁ ରାଜ୍ୟ ବିଜେପିରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଯାଏ। ଆଉ ଏହାକୁ ସଠିକ୍ ପ୍ରତିପାଦନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି।

Get real time updates directly on you device, subscribe now.