fbpx

କିଏ ହେବେ ବିଧାନସଭାର ନୂଆ ବାଚସ୍ପତି? ଚର୍ଚ୍ଚାରେ ୪ ବରିଷ୍ଠ ନେତା, ୨୧ରେ ହେବ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ରାଜ୍ୟରେ ବାଚସ୍ପତି ଆସନ ପାଇଁ ହେବ ନିର୍ବାଚନ । ବିକ୍ରମ ଆରୁଖଙ୍କ ପରେ ଏହି ଆସନରେ କିଏ ବସିବେ, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୨ ତାରିଖରୁ ବିଧାନସଭାର ମୌସୂମୀ ଅଧିବେସନ ଥିବା ବେଳେ ୨୧ ତାରିଖରେ ନୂଆ ବାଚସ୍ପତିଙ୍କ ପାଇଁ ନିର୍ବାଚନ ହେବାକୁ ଯାଉଛି । ତେବେ ବାଚସ୍ପତି ଆସନ ଦୌଡ଼ରେ ବିଜେଡିର ୪ ଜଣ ବରିଷ୍ଠ ନେତା ସାମିଲ ରହିଛନ୍ତି । ଏହି ୪ ଜଣ ନେତାଙ୍କ ମଧ୍ୟରୁ କେହି ବାଚସ୍ପତି ପଦରେ ଦାୟିତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

୧- ପ୍ରଫୁଲ୍ଲ ସାମଲ:

ବିଜୁ ଜନତା ଦଳର ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ସାମଲ ବାଚସ୍ପତି ହେବା ଦୌଡ଼ରେ ଖୁବ ଆଗରେ ରହିଛନ୍ତି । ଦଳର ଜଣେ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ଏହି ପଦବୀରେ ଦାୟିତ୍ୱ ଦିଆ ଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ୧୯୯୫ ମସିହାରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଦଶମ ବିଧାନସଭାରେ ବିଜେଡିର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ୧୪ଶ ବିଧାନସଭାରେ ସେ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ ଏବଂ ୧୫ଶ ବିଧାନସଭାରେ ମହିଳା ଓଶିଶୁ ବିକାଶ କଲ୍ୟାଣ ଯୋଜନାର ମନ୍ତ୍ରୀ ମଧ୍ୟ ଦାୟିତ୍ୱ ନେଇ ସାରିଛନ୍ତି । ୧୯୯୫ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ତରଫରୁ ଭଦ୍ରକ ଏବଂ ଭଣ୍ଡାରୀପୋଖରୀରୁ ସେ ପ୍ରତିନିଧିତ୍ୱ କରି ଆସିଛନ୍ତି । ଏହାବ୍ୟତୀତ ସରକାରଙ୍କ ବିଭିନ୍ନ ବିଭାଗରେ ମଧ୍ୟ ସେ ଦାୟିତ୍ୱ ସମ୍ପନ୍ନ କରିଛନ୍ତି । ତେଣୁ ଆଗକୁ ତାଙ୍କୁ ହିଁ ବାଚସ୍ପତି ପଦବୀ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

୨- ଦେବୀପ୍ରସାଦ ମିଶ୍ର:

କଟକର ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ନେତା ଭାବରେ ପରିଚୟ ହାସଲ କରିଛନ୍ତି ଦେବୀପ୍ରସାଦ ମିଶ୍ର । ଏହି ନିର୍ବାଚନ ମଣ୍ଡଳୀରୁ ଗତ ୫ଟି ପାଳିରେ ସେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । ୧୯୯୫ ମସିହାରେ ପ୍ରଥମ କରି ନିର୍ବାଚିତ ହୋଇଥିବା ଶ୍ରୀ ମିଶ୍ର, ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ରେ ମଧ୍ୟ ବିଜୟ ହାସଲ କରିଛନ୍ତି । ତେବେ ସେ ବର୍ତ୍ତମାନ ବିଜେଡିର ଅନ୍ୟ ଜଣେ ବରିଷ୍ଠ ନେତା ଭାବରେ ବାଚସ୍ପତି ପଦ ପାଇଁ ଯୋଗ୍ୟ ବୋଲି କୁହାଯାଉଛି । ତେଣୁ ତାଙ୍କୁ ମଧ୍ୟ ବାଚସ୍ପତି ଦୌଡ଼ରେ ସାମିଲ କରାଯାଇପାରେ ।

୩- ନୃସିଂହ ଚରଣ ସାହୁ:

ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ରହିଥିବା ଅନ୍ୟ ଜଣେ ନେତା ହେଉଛନ୍ତି ନୃସିଂହ ଚରଣ ସାହୁ । ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଏହି ତାଲିକାରେ ଆଗରେ ରହିଛନ୍ତି । ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଜନତା ଦଳର ପ୍ରମୁଖ ସଦସ୍ୟ ହୋଇଥିବା ବେଳେ ୨୦୦୪-୨୦୦୯ରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । କିନ୍ତୁ ମେ ୧୮, ୨୦୧୪ ସେ ବିଜୁ ଜନତା ଦଳରେ ସାମିଲ ହୋଇ ପରଜଙ୍ଗ ବିଧାନସଭାରେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୯ରେ ମଧ୍ୟ ୧୬ତମ ବିଧାନସଭାରେ ମଧ୍ୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ଜଣେ ବରିଷ୍ଠ ନେତା ଏବଂ ଅଭିଜ୍ଞତା ଅନୁସାରେ ତାଙ୍କୁ ନୂତନ ବାଚସ୍ପତି ପଦ ଦେଇପାରନ୍ତି ସରକାର ।

୪- ଅମର ପ୍ରସାଦ ଶତପଥୀ:

୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳର ପ୍ରମୁଖ ସଦସ୍ୟ ରହିଥିଲେ ଅମର ଶତପଥୀ । ଏହାପରେ ୨୦୦୦ ମସିହା ଦ୍ୱାଦଶ ବିଧାନସଭାରେ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେ ନିର୍ବାଚିତ ହୋଇଥିଲେ । କିନ୍ତୁ ଏହାପରେ ସେ ନେସନାଲ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । କିନ୍ତୁ ୨୦୧୪ରେ ପୁଣିଥରେ ଅମରଙ୍କର ବିଜେଡିକୁ ହୋଇଥିଲା ଘରବାହୁଡ଼ା । ୨୦୧୪ ଏବଂ ୨୦୧୯ରେ ସେ ପୁଣିଥରେ ବିଜୁ ଜନତା ଦଳ ପକ୍ଷରୁ ବଡ଼ଚଣାରେ ନିର୍ବାଚିତ ହୋଇଛନ୍ତି । ତେଣୁ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ବାଚସ୍ପତି ଆସନରେ ଅଳଙ୍କୃତ କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ତେବେ ଆଗାମୀ ବାଚସ୍ପତି କିଏ? ଏବଂ କାହାକୁ ମିଳିବ ଏହି ଆସନ? ସେ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ନଥିବା ବେଳେ ଆସନ୍ତା ୨୧ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ନିର୍ବାଚନ ପୂର୍ବରୁ ଏହି ୪ ବରିଷ୍ଠ ନେତାଙ୍କ ନାଁ ଖୁବ ଆଗରେ ରହିଛି ।

Get real time updates directly on you device, subscribe now.