fbpx

ଅଚାନକ୍ ବିହାର ଯାଇ ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ କାହିଁକି ଭେଟିଲେ ଧର୍ମେନ୍ଦ୍ର? ଆଲୋଚନାକୁ ନେଇ ଏପରି ହେଉଛି ଚର୍ଚ୍ଚା

ପାଟନା: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସନ୍ଧ୍ୟାରେ ଅଚାନକ୍ ପାଟନା ଯାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟ କରିଥିଲେ । ଏହି ସମୟରେ ୨ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲା । ଅନ୍ୟପଟେ ବିଜେପି ନେତାଙ୍କ ଅଚାନକ୍ ଗସ୍ତକୁ ନେଇ ରାଜନୀତି ଗରମ ହୋଇଛି ।

ତେବେ ବିହାର ସରକାରରେ ବିଜେପି ମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇପାରେ । ଏଭଳି ପରିସ୍ଥିତିରେ ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟ୍ ପୁନଃଗଠନ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ଜୋର ଧରିଛି । ଅବଶ୍ୟ ଦୁଇ ନେତାଙ୍କ ସାକ୍ଷାତ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଏଥିସହ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସହ ଧର୍ମେନ୍ଦ୍ରଙ୍କ ଭେଟ ଉପରେ କୌଣସି ରାଜନୈତିକ ତର୍କ ବାହାର କରିବା ଉଚିତ ନୁହେଁ ବୋଲି ବିଜେପି କହିଛି । କିନ୍ତୁ କୁହାଯାଉଛି ଯେ, ଖୁବଶୀଘ୍ର ରାଷ୍ଟ୍ରପତି-ଉପରାଷ୍ଟ୍ରପତି ନିର୍ବାଚନ ଓ ବିହାର ମନ୍ତ୍ରିମଣ୍ଡଳରେ ପୁନଃଗଠନ ସମ୍ପର୍କରେ ୨ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ଶିକ୍ଷା ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ମଧ୍ୟ ଡକାଯାଇଥିଲା ଓ ସେ ବି କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ବିହାରରେ ତିନିଜଣ ଭିଆଇପି ବିଧାୟକ ବିଜେପିରେ ଯୋଗଦେବା ପରେ କ୍ୟାବିନେଟ୍ ପୁନଃଗଠନ ନେଇ ଅନେକ ଚର୍ଚ୍ଚା ହେଉଛି । ୧୬ ନଭେମ୍ବର ୨୦୨୦ ରେ ୧୪ ଜଣ ମନ୍ତ୍ରୀ ମଧ୍ୟ ନୀତୀଶ କୁମାରଙ୍କ ସହ ଶପଥ ଗ୍ରହଣ କରିଥିଲେ । ଏଥି ସହିତ ଅଢ଼େଇ ମାସ ପରେ ପୁଣିଥରେ କ୍ୟାବିନେଟକୁ ବିସ୍ତାର କରାଯାଇଥିଲା । ଏହି ସମୟ ମଧ୍ୟରେ ମୋଟ ୯ଜଣ ବିଜେପି ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିଲା ।

Get real time updates directly on you device, subscribe now.