ବ୍ରା ଲୁଚାଇ ରଖିବାକୁ କୁହାଯାଏ କାହିଁକି? Sexism କୁ ସାମନା କରିବା ଉପରେ କହିଲେ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଅନେକ ସମୟରେ ନିଜ ମତାମତ ପାଇଁ ଚର୍ଚ୍ଚାରେ ରୁହନ୍ତି । ଖୋଲାଖୋଲି ଭାବେ ନିଜ ମନ କଥା ସେୟାର କରିବାରେ ସେ ମାହିର । କୌଣସି ବି କଥାକୁ ସେ ଖୁବ ଫ୍ରାଙ୍କଲି କହିପାରନ୍ତି । ସେହିପରି ଏକ କଥାକୁ ନେଇ ସେ ଏବେ ମନ୍ତବ୍ୟ ଦେଇଛନ୍ତି । ମହିଳାମାନେ ପିନ୍ଧୁଥିବା ବ୍ରା’କୁ ଅଧିକାଂଶ ସମୟରେ ଲୁଚାଇ ରଖିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଏ । ପରିବାର କିମ୍ବା ସାଙ୍ଗସାଥୀ ଏହାକୁ ଲୁଚାଇ ରଖିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଏମିତି କାହିଁକି? ଏହାର ଉତ୍ତର ସହ ସାରା ଦୁନିଆରେ ଏବେ ଚାଲିଥିବା ସେକ୍ସିଜିମକୁ ନେଇ ଏବେ ମନ୍ତବ୍ୟ ଦେଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ ।

ଏକ ଇଣ୍ଟରଭ୍ୟୁରେ ଆଲିଆ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ସେ ମଧ୍ୟ ସେକ୍ସିଜିମର ଶିକାର ହୋଇଛନ୍ତି । ଏହି ସମାଜରେ କିଛି ଖରାପ ଜିନିଷକୁ ସହିବା ପାଇଁ ମହିଳାମାନଙ୍କୁ ବାଧ୍ୟ କରାଯାଏ । ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଭିନ୍ନ ପରିସ୍ଥିତିରେ ସେ ମଧ୍ୟ ଏହି ସେକ୍ସିଜିମର ସାମନା କରିଛନ୍ତି । ସେ କହିଛନ୍ତି ଯେ, “ଅନେକ ସମୟରେ ମୁଁ ନୋଟିସ କରିନଥାଏ, କିନ୍ତୁ ଆଜି ଯେତେବେଳେ ପୁରୁଣା ସମୟକୁ ଚିନ୍ତା କରେ, ମୋତେ ଏହା ଅନୁଭବ ହୋଇଥାଏ ।”

ଏହିସବୁ ପାଇଁ ସେ ଏବେ ଅଧିକ ସେନ୍ସିଟିଭ ହୋଇଯାଇଥିବା ମଧ୍ୟ ପ୍ରକାଶ କରିଛନ୍ତି । ଅନେକ ସମୟରେ ଆପଣଙ୍କୁ କମେଣ୍ଟ କରାଯାଏ ଯେ, ତୁମେ ବହୁତ ସେନ୍ସିଟିଭ, ଏତେ ସେନ୍ସିଟିଭ ହୁଅ ନାହିଁ…ଇତ୍ୟାଦି । ଏହିଭଳି କମେଣ୍ଟଗୁଡିକୁ ନେଇ ଆଲିଆ ଖୁବ ନାପସନ୍ଦ କରନ୍ତି ବୋଲି ଇଣ୍ଟରଭ୍ୟୁରେ କହିଛନ୍ତି ।

ଯେତେବେଳେ ଲୋକମାନେ ଏଭଳି କଥା କହିଥାନ୍ତି ଏହା ଆଲିଆଙ୍କୁ ବହୁତ ବିରକ୍ତି କରାଇଥାଏ ବୋଲି ସେ କହିଛନ୍ତି । ସେହିଭଳି ଲୋକମାନେ କୁହନ୍ତି ଯେ, ମହିଳାମାନଙ୍କ ପିନ୍ଧୁଥିବା ବ୍ରା ବେଡ୍ ରେ ରହିବା ଉଚିତ ନୁହେଁ । ବ୍ରା’କୁ ଲୁଚାଇ ରଖିବା ପାଇଁ ଅନେକ ଲୋକ କହିଥାନ୍ତି । କିନ୍ତୁ କାହିଁକି? ଅନ୍ୟ ବସ୍ତ୍ର ଭଳି ଏହା ବି ତ ଏକ ବସ୍ତ୍ର ନା? ବ୍ରା’କୁ ନେଇ ଥିବା ଏହି ବଡ ପ୍ରଶ୍ନର ଏମିତି ଯୁକ୍ତି ବାଢିଛନ୍ତି ଆଲିଆ ଭଟ୍ଟ ।

ଏମିତି ଘଟଣା ତାଙ୍କ ସହିତ ସବୁବେଳେ ହୋଇନଥାଏ । କିନ୍ତୁ ଜଣେ ମହିଳା ଭାବରେ ଆପଣଙ୍କୁ କିଛି ଜିନିଷ ଲୁଚାଇ ରଖିବା ଆବଶ୍ୟକ ହୋଇପଡେ ବୋଲି ଆଲିଆ ଭଟ୍ଟ ଏହି ଇଣ୍ଟରଭ୍ୟୁରେ କହିଛନ୍ତି । ତେବେ ବଲିଉଡର ଏହି ଚୁଲବୁଲି ସୁନ୍ଦରୀ ନିଜର ନୂଆ ଚଳଚ୍ଚିତ୍ର ଡାର୍ଲିଙ୍ଗସକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ।