fbpx
BJD SKY
BJD SKY

ଶୀତଦିନେ ହୃଦଘାତ ସମ୍ଭାବନା ଅଧିକ ରହିଥାଏ କାହିଁକି: ଏହାର ପ୍ରତିକାର କିପରି କରିବେ, କ’ଣ କହୁଛନ୍ତି ଡାକ୍ତର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଥଣ୍ଡା ସିଜିନ ଚାଲିଥିବା ବେଳେ ଏହି ସମୟରେ ହୃଦଘାତର ସମ୍ଭାବନା ଅଧିକ ରହିଥାଏ । ଶୀତଦିନେ ପାଣିପାଗ ଓ ପରିବେଶ ଆମର ଶରୀର ଉପରେ ପ୍ରଭାବ ପକାଇଥାଏ । ବିଶେଷ କରି ଶୀତର ଆଗମନରେ ବାୟୁମଣ୍ଡଳର ତାପମାତ୍ରା ହ୍ରାସ ପାଇବା ଫଳରେ ଆମର ହୃଦପିଣ୍ଡ ଓ ରକ୍ତ ସଞ୍ଚାଳନର ନଳୀ ଉପରେ ପ୍ରଭାବ ପଡ଼ିଥାଏ । ଆମର ଚର୍ମ, ଚର୍ମ ତଳ ରକ୍ତ ଜାଲିକାଗୁଡ଼ିକ କମ୍ ତାପମାତ୍ରା ସଂସ୍ପର୍ଶରେ ଆସିବା ଫଳରେ ସେଗୁଡ଼ିକ ସଙ୍କୁଚିତ ହୋଇଯାଇଥାଏ ।

ଏହି ରକ୍ତ ଜାଲିକାଗୁଡ଼ିକ ଆମର ଧମନୀ ଓ ଶିରାର ଅଂଶବିଶେଷ ହୋଇଥିବା ବେଳେ ଧମନୀ ହୃତପିଣ୍ଡରୁ ବିଶୁଦ୍ଧ ରକ୍ତ ବହନ କରିଥାଏ ଓ ଶିରା ସମଗ୍ର ଶରୀରରୁ ଅଶୁସ୍ଥ ରକ୍ତକୁ ହୃତପିଣ୍ଡକୁ ଫେରାଇ ଆଣିଥାଏ । ତେବେ ଶୀତ ପ୍ରଭାବରେ ଶରୀରର ବିଭିନ୍ନ ଧମନୀ ସଙ୍କୁଚିତ ହୋଇଯିବା ଫଳରେ ଶରୀରର ରକ୍ତଚାପ ବଢ଼ିଯାଏ । ଏଭଳି ସ୍ଥିତିରେ ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କ କ୍ଷେତ୍ରରେ ରକ୍ତଚାପ ବୃଦ୍ଧି ପାଇଥାଏ । ଫଳରେ ହୃଦପେଶୀର ଅକ୍ସିଜେନ ଚାହିଦା ବଢ଼ିଯାଇଥାଏ । ଥଣ୍ଡା ସମୟରେ ବ୍ଲଡ ପ୍ରେସର ରୋଗୀଙ୍କ ପ୍ରେସର ବୃଦ୍ଧି ପାଇବାସହିତ ଔଷଧର ମାତ୍ରା ମଧ୍ୟ ବଢ଼ିଯାଇଥାଏ ।

ଯେଉଁ ରୋଗୀଙ୍କର ହୃଦରୋଗ ଅଛି ସେମାନଙ୍କର ଠାରେ ହାର୍ଟ ଆଟାକ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଶୀତୁଆ ରାତିରେ ବା ଭୋର ସମୟରେ ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା ସବୁଠାରୁ କମ୍ ରହିଥାଏ ସେହି ସମୟରେ ହିଁ ହାର୍ଟ ଆଟାକ୍ ପ୍ରବଣତା ସବୁଠାରୁ ଅଧିକ ରହିଥାଏ । ରାତି ଓ ଭୋର ସମୟରେ ଶରୀରରେ ରକ୍ତର ଘନତ୍ୱ ବଢ଼ିଯିବା ଫଳରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବୃଦ୍ଧି ପାଇଥାଏ । ଶୀତଦିନେ କୌଣସି ଶାରୀରିକ ପରିଶ୍ରମ ବା ମାନସିକ ଚାପ ପରେ ହୃତପିଣ୍ଡରେ ଅକ୍ସିଜେନର ଚାହିଦା ବଢ଼ିଯାଇଥାଏ । ଫଳରେ କରୋନାରୀ ଧମନୀ ସଙ୍କୁଚିତ ଅବସ୍ଥାରେ ରହି ହାର୍ଟ ଆଟାକ୍ ଆଶଙ୍କା ବଢ଼ିଯାଇଥାଏ ।

ତେବେ ଶୀତକାଳୀନ ହୃଦରୋଗକୁ ଏଡ଼ାଇବା ପାଇଁ ଗରମ ପୋଷାକପତ୍ର ବ୍ୟବହାର କରିବା, ଶରୀରକୁ ଉଷୁମ ରଖିବା, ନିୟମିତ ରକ୍ତଚାପ ପରୀକ୍ଷା କରାଇବା, ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ମେଡିସିନ ଖାଇବା, ଘରେ ଏସି ଥିରେ ତା’ର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଶୀତଦିନେ ବିଭିନ୍ନ ବିବାହ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଫ୍ୟାଟ ଓ କ୍ୟାଲୋରୀଯୁକ୍ତ କ୍ଷତିକାରକ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହିସବୁ ଲୋଭନୀୟ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ । ଯେଉଁମାନଙ୍କର ଡାଇବେଟିସ୍, ହୃଦରୋଗ, ଉକ୍ତ ରକ୍ତଚାପ ସମସ୍ୟା ରହିଛି, ସେମାନେ ଖେଳାଖଳି, ବ୍ୟାୟାମ, ଶାରୀରିକ ପରିଶ୍ରମ ପରି କାର୍ଯ୍ୟକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.