ଖୋଲିଥିଲା ଶିବଙ୍କ ତୃତୀୟ ନେତ୍ର, ଭାଙ୍ଗିଲା ଶନିଙ୍କ ଅହଙ୍କାର…ଜାଣନ୍ତୁ କାହିଁକି ଶନିଙ୍କୁ ଗଛରେ ଓଲଟା ଲଟକାଇଥିଲେ ଶିବ
ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଶିବଙ୍କୁ ନିଜ ଆରାଧ୍ୟ ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଭକ୍ତଙ୍କ ପ୍ରାର୍ଥନାରେ ଶୀଘ୍ର ସନ୍ତୁଷ୍ଟ ହୋଇଯାନ୍ତି ଶିବ ସେଥିପାଇଁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ । ଶିବଙ୍କ ତୃତୀୟ ନେତ୍ର ଖୋଲିଲେ ପ୍ରଳୟ ଆସିଥାଏ ବୋଲି ବିଶ୍ୱାସ ରହିଛି ସେଥିପାଇଁ ତାଙ୍କ ଅନ୍ୟ ନାମ ବିନାଶକର୍ତ୍ତା । ଅନେକ ଧାର୍ମିକ ଏବଂ ପୌରାଣିକ କଥା ଅନୁଯାୟୀ ଏକଦା ଶିବ ଏବଂ ଶନି ଦେବଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ପରିଣାମ ସ୍ୱରୂପ ମହାଦେବଙ୍କ କୋପରୁ ଶନି ଦେବଙ୍କୁ ୧୯ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡ଼ିଥିଲା ।
ଶନି ଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚିତ କରାଯାଇଛି । ବ୍ୟକ୍ତିଙ୍କ କର୍ମ ଅନୁଯାୟୀ ସେ ଶୁଭ ଫଳ କିମ୍ବା ଦଣ୍ଡ ଦେଇଥାନ୍ତି । ସେ ସୂର୍ଯ୍ୟ ଦେବ ଏବଂ ଛାୟାଙ୍କ ପୁତ୍ର । ପୌରାଣିକ ମାନ୍ୟତା ଅନୁଯାୟୀ ଥରେ ସୂର୍ଯ୍ୟଦେବ ନିଜ ସମସ୍ତ ପୁତ୍ରଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ବିଭିନ୍ନ ଲୋକ(ଜଗତ) ବିଭାଜିତ କରିଥିଲେ । କିନ୍ତୁ ଶନି ଦେବ ଏହି ବିଭାଜନକୁ ଖୁସି ନଥିଲେ । ଏହା ପରେ ଶନି ଦେବ ନିଜ ଶକ୍ତିର ଅପବ୍ୟବହାର କରି ତାଙ୍କୁ ମିଳିନଥିବା ଲୋକ ଉପରେ ଅଧିକାର ସାବ୍ୟସ୍ତ କଲେ । ଶନିଦେବଙ୍କ ଏଭଳି ବ୍ୟବହାର ତାଙ୍କ ପିତା ସୂର୍ଯ୍ୟ ଦେବ ବହୁତ ଦୁଃଖିତ ହୋଇଥିଲେ । ଏହାର ସମାଧାନ ପାଇଁ ସେ ମହାଦେବଙ୍କ ଶରଣାଗତ ହୋଇଥିଲେ । ସୂର୍ଯ୍ୟ ଦେବଙ୍କ କଥା ଶୁଣି ମହାଦେବ ନିଜ ଗଣମାନଙ୍କୁ ଶନିଙ୍କ ସହ ଯୁଦ୍ଧ କରିବା ପାଇଁ ପଠାଇଥିଲେ । କିନ୍ତୁ ଶକ୍ତିଶାଳୀ ଶନି ସମସ୍ତଙ୍କୁ ପରାସ୍ତ କରିଥିଲେ । ଏହା ପରେ ସ୍ୱୟଂ ଶିବ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ । ଶନି ଏବଂ ଶିବଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଥିଲା । ଏହି ଯୁଦ୍ଧ ମଝିରେ ଶିବ ଶନିଙ୍କ ଉପରେ ମାରକ ଦୃଷ୍ଟି ପକାଇଥିଲେ । ଏହି ସମୟରେ ଶିବଙ୍କ ତୃତୀୟ ନେତ୍ର ମଧ୍ୟ ଖୋଲିଥିଲା । ଏହା ଦେଖି ଶନି ଦେବ ଚକିତ ହୋଇଯାଇଥିଲେ ଏବଂ ତାଙ୍କ ଅହଂକାର ଭାଙ୍ଗିଗଲା । ଏହା ପରେ ଶନିଙ୍କୁ ଦଣ୍ଡିତ କରିବା ପାଇଁ ଶିବ ତାଙ୍କୁ ଓସ୍ତ ଗଛରେ ୧୯ ବର୍ଷ ପର୍ଯ୍ୟନ୍ତ ଓଲଟା ଲଟକାଇ ଦେଇଥିଲେ । ଏହି ୧୯ ବର୍ଷ ମଧ୍ୟରେ ଶନି ଦେବ ଶିବଙ୍କ ଉପାସନା କରିଥିଲେ । କିନ୍ତୁ ସୂର୍ଯ୍ୟ ଦେବ ନିଜ ପୁତ୍ରର ଏଭଳି ଦଶା କଷ୍ଟ ଦେଇଥିଲା । ସେ ନିଜ ପୁତ୍ରର ଭୁଲ ପାଇଁ ଶିବଙ୍କୁ କ୍ଷମାପ୍ରାର୍ଥନା କରିଥିଲେ ଏହା ପରେ ଶିବ ଶନିଙ୍କୁ ଜୀବନଦାନ ଦେଇଥିଲେ । ଏଥିପାଇଁ କୌଣସି ବ୍ୟକ୍ତିଙ୍କ ରାଶି ଉପରେ ଶନି ମହାଦଶା ରହିଲେ ତାହା ୧୯ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶନିଙ୍କ କ୍ରୋଧ ଶାନ୍ତ ହୋଇଥାଏ ଏବଂ ବ୍ୟକ୍ତିଙ୍କୁ ଶନି ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।