fbpx

ଭାରତର ପରାଜୟରେ ପାକିସ୍ତାନ ଖୁସି ମନାଉଛି: ଏହା କେତେଦୂର ଠିକ୍?

ନୂଆଦିଲ୍ଲୀ: ଚଳିତ ଏସିଆ କପର ସୁପର-୪ର ଅନ୍ତିମ ମ୍ୟାଚରେ ଭାରତ ସଂଘର୍ଷପୂର୍ଣ୍ଣ ଭାବେ ବାଂଲାଦେଶ ନିକଟରୁ ୬ ରନରେ ପରାସ୍ତ ହୋଇଥିଲା । ଏହି ପରାଜୟ ଟିମ୍ ଇଣ୍ଡିଆର ଫାଇନାଲ ଖେଳିବା କ୍ଷେତ୍ରରେ ଯଦିଓ ପ୍ରଭାବହୀନ ରହିବ, ତଥାପି ଏନେଇ ସମାଲୋଚନା ଆରମ୍ଭ ହୋଇଯାଇଛି । ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନରୁ ଆସିଛି ଏଭଳି କିଛି ସୂଚନା ।

ଭାରତର ପରାଜୟକୁ ନେଇ ପୂର୍ବତନ ପାକିସ୍ତାନ କ୍ରିକେଟର ଶୋଏବ ଅଖତାର ନିଜ ୟୁଟ୍ୟୁବ ଚାନେଲରେ ଏ ବାବଦରେ ଟିପ୍ପଣୀ ଦେଇଛନ୍ତି । ଭାରତର ପରାଜୟ ନିଶ୍ଚିତ ଭାବେ ଲଜ୍ଜାଜନକ । ଯଦିଓ ଭାରତ ନିକଟରେ ବ୍ୟାକଅପ୍ ପ୍ଲାନ ରହିଛି ତଥାପି ଏହି ପରାଜୟ ସମସ୍ତ ପାକିସ୍ତାନୀଙ୍କୁ ଓ ତାଙ୍କୁ ଖୁସି ଦେଇଛି । ମାତ୍ର ଏହି ପ୍ରସଙ୍ଗରେ ଅଧିକ ଆଲୋଚନା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ଭଲ ଟିମ୍ ହୋଇଥିବା ବେଳେ ଉଭୟେ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । ଭାରତ ପାକିସ୍ତାନକୁ ହରାଇବା ପରେ ନିଜକୁ ବେଷ୍ଟ ଟିମ୍ ଭାବିବା ଉଚିତ ନୁହେଁ । ଗୋଟିଏ ଛୋଟ ଦେଶ ଯେଭଳି ଭାବେ ଭାରତକୁ ମାତଦେଲା ତାହା ନିଶ୍ଚିତ ଭାବେ ଚଳିତ ବିଶ୍ୱକପରେ ପ୍ରଭାବ ପକାଇବ । ଭାରତୀୟ ଓପନର ଶୁବମନ ଗିଲଙ୍କ ଶତକୀୟ ଭାଗିଦାରୀ ଭାରତକୁ ବିଜୟ ଦେଇପାରିଲା ନାହିଁ । ଚଳିତ ବର୍ଷ ପାକିସ୍ତାନ ଏସିଆ କପ ଆୟୋଜନ କରୁଥିଲେ ହେଁ ତାହା ଶୁଭଦାୟକ ହୋଇନାହିଁ । କାରଣ ବିସିସିଆଇର ବିରୋଧ କାରଣରୁ ଅଧିକାଂଶ ମ୍ୟାଚ ପାକିସ୍ତାନରେ ଖେଳଯାଇ ପାରିନଥିଲା । ଏସିଆ କପରେ ବିଶ୍ୱର ଏକନମ୍ବର ଦିନିକିଆ ଟିମ୍ ଥିବା ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା ବୋଲି ଅଖତର କହିଥିଲେ ।

ତେବେ ଏଠାରେ ପ୍ରଶ୍ନଉଠେ, ଭାରତ ପରାଜୟରେ ପାକିସ୍ତାନ କ’ଣ ପାଇଁ ଖୁସି ହେବ । ଅନ୍ୟ ଦେଶ ପରାସ୍ତ ହେଲେ କ’ଣ ପାଇଁ ନୁହେଁ । ଖେଳରେ ବିଜୟ, ପରାଜୟ ରହିଥାଏ । ମାତ୍ର ତାହାକୁ ମନାଇବାର ଏକ ସୀମା ଥାଏ । ପାକିସ୍ତାନ ପରାଜୟରେ ଭାରତ ଯଦି ଏଭଳି କରେ, ତେବେ…? ଅଧିକାଂଶ ସମୟରେ ଭାରତଠାରୁ ବିଜୟ ପରେ ପାକିସ୍ତାନରେ ଯେଭଳି ଢଙ୍ଗରେ ଉତ୍ସବ ପାଳିତ ହୁଏ, ତାହା ଅତ୍ୟନ୍ତ ନିନ୍ଦନୀୟ । ଅଖତର ଅଧିକାଂଶ ସମୟରେ ତାଙ୍କର ମନ୍ତବ୍ୟରେ ପାକିସ୍ତାନକୁ ଉଚ୍ଚରେ ରଖିଥାନ୍ତି, ଯାହା ବୋଧହୁଏ ଖେଳୁଆଡ଼ ମନୋଭାବ ନୁହେଁ । ଜଣେ ନିଜକୁ ଠିକ୍ ବୋଲି କହିଦେଲେ ସବୁ ଠିକ୍ ହୋଇଯିବନି, ସାରା ଦୁନିଆ ସେଥିରେ ଏକମତ ହେଉଥିବା ଦରକାର ।

Get real time updates directly on you device, subscribe now.