fbpx

କଂଗ୍ରେସରୁ ଇସ୍ତଫା ଦେବେ କ୍ୟାପଟେନ୍ ଅମରିନ୍ଦର ସିଂହ ? ସୋନିଆଙ୍କୁ କହିଲେ- ବହୁତ ହୋଇଗଲା ଅପମାନ

ନୂଆଦିଲ୍ଲୀ : ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ନବୋଜତ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି ଯେ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିଜ ପଦରୁ ଏବଂ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇ ପାରନ୍ତି । ସୂତ୍ର ଅନୁଯାୟୀ, ଅମରିନ୍ଦର ସିଂହ ନବଜୋତ ସିଦ୍ଧୁଙ୍କ ଦ୍ୱାରା ଡକା ଯାଇଥିବା ବିଧାୟକ ଦଳ ବୈଠକ ଠିକ୍ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜଣାଇ ଦେଇଛନ୍ତି ଯେ, ଏହି ପରି ଅପମାନର ସହ ପାର୍ଟିରେ ମୁଁ ରହି ପାରିବି ନାହିଁ ।

ଆଜି ଚଣ୍ଡିଗଡରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ହେଲେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପଞ୍ଜାବ କଂଗ୍ରେସ ସରକାରରେ ନେତୃତ୍ୱ ପରିବର୍ତ୍ତନ କଂଗ୍ରେସ ପାଇଁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଅମରିନ୍ଦର ସିଂହ ପାର୍ଟି ସଭାପତି ସୋନିଆ ଗାନ୍ଧୀଙ୍କୁ କହିଛନ୍ତି ଯେ, ବହୁତ ହୋଇଗଲା ଏହି ଧରଣର ଅପମାନ । ମୋ ସହ ଏପରି ତୃତୀୟ ଥର ଘଟିଲା । ମୁଁ ଏହି ପରି ଅପମାନ ସହ ପାର୍ଟିରେ ରହିି ପାରିବି ନାହିଁ ।

ଗତ କିଛି ମାସରେ ଅମରିନ୍ଦର ସିଂହଙ୍କ ବିରୋଧରେ ବିଧାୟକଙ୍କ ଏକ ଗୋଷ୍ଠୀ, ଯେଉଁମାନଙ୍କୁ ନବଜୋତଙ୍କ ସମର୍ଥକ କୁହାଯାଏ, ସେମାନେ ଦଳରେ ନୂତନ ନେତା ଦାବି କରିଛନ୍ତି । ପଞ୍ଜାବର ସମ୍ଭାବିତ ନୂତନ ମୁଖ୍ୟମନ୍ତ୍ରୀ ପାଇଁ ସୁନିଲ ଜାଖଡ, ପଞ୍ଜାବ କଂଗ୍ରେସଦର ପୂର୍ବତନ ସଭାପତି ପ୍ରତାପ ସିଂହ ବାଜୱା ଓ ବେଅନ୍ତ ସିଂହଙ୍କ ନାତି ତଥା ସାଂସଦ ନବନିତ ସିଂହ ବିଟ୍ଟୁଙ୍କ ପରି ନାମ ସାମ୍ନାକୁ ଆସିଛି ।

ପଞ୍ଜାବ କଂଗ୍ରେସରେ ଜାରି ଦଳୀୟ କନ୍ଦଳ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଶନିବାର ରାଜ୍ୟର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଇଛି । ଏଆଇସିସିର ସାଧାରଣ ସଂପାଦକ ତଥା ପଞ୍ଜାବ ପ୍ରଭାରୀ ହରିଶ ରାୱତ ଶୁକ୍ରବାର ରାତିରେ ଏହି ବିଷୟରେ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ବହୁ ମତଭେଦ ଏବଂ ବାବ ବିବାଦ ପରେ ନିକଟ ଦିନରେ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଏହା ସତ୍ତେ୍ୱ ବି ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ବିବାଦ ପାର୍ଟି ପାଇଁ ବଡ ସଙ୍କଟ ସୃଷ୍ଟି କରିଛି । ଏହା ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ କେତେ ମହଙ୍ଗା ପଡିବ ତାହା ସମୟ କହିବ ।

Get real time updates directly on you device, subscribe now.