ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍କୁଲ, କଲେଜ ବନ୍ଦ ରହିଛି । ଏହାରି ମଧ୍ୟରେ କଲେଜ ଛୁଟି ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି ଯେ, ‘ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ମେ’ ୨ ଯାଏଁ ଛୁଟି ଲାଗୁ ହୋଇଛି । ଜଳାବୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ପାଣିପାଗ ସ୍ଥିତି ଦେଖି ବିଚାର ବିମର୍ଷ ପରେ କଲେଜ ଛୁଟି ବୃଦ୍ଧି ନିଷ୍ପତ୍ତି ନିଆଯିବ । ଖରା ବଢୁଥିବାରୁ ବଢିପାରେ କଲେଜ ଛୁଟି ଅବଧି ।’
ତେବେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି । ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତିର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିବା ସହ ଦୋକାନବଜାର ବନ୍ଦ ରହୁଛି । ତେବେ ସବୁଠୁ ଅଧିକ ତାତି ଅନୁଭୂତ ହେଉଛି ପଶ୍ଚିମ ଓଡ଼ିଶାରେ । ସତେ ଯେପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତତଲା କଡ଼େଇରେ ସିଝୁଛି । ଶନିବାର ଓ ରବିବାର ମଧ୍ୟ ଆକାଶରୁ ନିଆଁ ବର୍ଷିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣୁର, ବୌଦ୍ଧ ଓ ବଲାଙ୍ଗିର । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ରାଜ୍ୟବାସୀ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ଏସଆରସି କହିଛନ୍ତି ।