fbpx

ବ୍ୟାନ୍ ହେବେ ଜଶପ୍ରୀତ ବୁମରାହ? ୨ ବର୍ଷ ଯାଏ ରହିବ ଏମିତି ଭୟ… ଓଲି ପୋପଙ୍କ ରାସ୍ତା ରୋକି ଫସିଗଲେ ୟର୍କର କିଙ୍ଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଏହାସହିତ ରୋହିତ ସେନାକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ପ୍ରଥମେ ଜାଡେଜା ଏବଂ ରାହୁଲ ଦଳରୁ ବାଦ୍ ପଡ଼ିଥିବା ବେଳେ ବର୍ତ୍ତମାନ ଅଶ୍ୱୀନଙ୍କ ଉପରେ ବ୍ୟାନ୍ ହେବାର ଭୟ ଆରମ୍ଭ ହୋଇଛି । ଟିମ ଇଣ୍ଡିଆର ୟର୍କର କିଙ୍ଗଙ୍କ ଉପରେ ଆଇସିସି କାର୍ଯ୍ୟାନୁଷ୍ଠାନ ନେଇ ବ୍ୟାନ୍ ପାଇଁ ପ୍ରଥମ ଚେତାବନୀ ଜାରି କରିଛି । ଇଂଲଣ୍ଡ ବ୍ୟାଟର ଓଲି ପୋପଙ୍କ ସହ ବିବାଦକୁ ନେଇ ଫସି ଯାଇଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ।

ଇଂଲଣ୍ଡ ଦ୍ୱିତୀୟ ଇନିଂସର ୮୧ତମ ଓଭରରେ ବୁମରାହଙ୍କ ଏକ ବଲକୁ ଚୌକା ମାରିଥିଲେ ଶତକବୀର ଓଲି ପୋପ୍ । କିନ୍ତୁ ଏହାର ପରବର୍ତ୍ତୀ ବଲରେ ବୁମରାହ ତାଙ୍କୁ ଟାର୍ଗେଟ କରିଥିଲେ । ବଲ ପୋପଙ୍କ ଥାଇ ପ୍ୟାଡରେ ବାଜିବାରୁ ପୋପ ୧ ରନ୍ ନେବାକୁ ଚେଷ୍ଟା କରିଥିଲେ । ତେବେ ଓଲି ପୋପ ଦୌଡ଼ି ରନ୍ ନେବା ସମୟରେ ବୁମରାହ ଅଚାନକ ତାଙ୍କ ସାମନାକୁ ଆସି ଯାଇଥିଲେ । ଫଳରେ ଉଭୟ ଖେଳାଳିଙ୍କ ମଧ୍ୟରେ ଧକ୍କା ହୋଇଥିଲା । ତେବେ ବୁମରାହ ନିଜ ଭୁଲ ବୁଝିପାରି ସଙ୍ଗେ ସଙ୍ଗେ ଇଂଲଣ୍ଡ ବ୍ୟାଟରଙ୍କୁ ଭୁଲ ମାଗି ନେଇଥିଲେ । କିନ୍ତୁ ଏଥିରେ ଶାନ୍ତ ହୋଇ ନଥିଲେ ଓଲି ପୋପ । ସେ ଅମ୍ପାୟାରଙ୍କୁ ଏ ନେଇ ଅଭିଯୋଗ କରିଥିଲେ ।

ତେବେ ମ୍ୟାଚର ଏହି ଘଟଣା ଏହି ପରେ ରେଫରୀଙ୍କ ପାଖରେ ପହଞ୍ଚିଥିଲା । ମ୍ୟାଚ ରେଫରୀ ରିଚି ରିଚାର୍ଡସନଙ୍କ ଅନୁସାରେ, ଏହା ଗତ ୨୪ ମାସ ମଧ୍ୟରେ ବୁମରାହଙ୍କ ବିପକ୍ଷରେ ପ୍ରଥମ ମାମଲା ରହିଥିଲା । ତେଣୁ ଏ ନେଇ କୌଣସି ଶୁଣାଣି କରିବା ଆବଶ୍ୟକ ପଡ଼ି ନଥିଲା । ତେବେ ଆଇସିସି କୋଡ ଅଫ୍ କଣ୍ଡକ୍ଟ ନିୟମ ଅନୁସାରେ ବୁମରାହ ଏହି କାମ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୁମରାହଙ୍କୁ ମ୍ୟାଚ ରେଫରୀ ୧ ଡିମେରିଟ ପଏଣ୍ଟ ପ୍ରଦାନ କରିଛନ୍ତି ।

ଡିମେରିଟ୍ ପଏଣ୍ଟଗୁଡିକ ଜଣେ ଖେଳାଳିଙ୍କ ନାମରେ ୨୪ ମାସ ପାଇଁ ରହିଥାଏ । ଏହି ସମୟ ମଧ୍ୟରେ ସମ୍ପୃକ୍ତ ଖେଳାଳି ଯେତେ ଡିମେରିଟ୍ ପଏଣ୍ଟ ପାଆନ୍ତି, ତାହା ଏହି ତାଲିକାରେ ସାମିଲ ହୋଇଥାଏ । ଯଦି ଜଣେ ଖେଳାଳିଙ୍କ ନାମରେ ୨୪ ମାସ ମଧ୍ୟରେ ୪ ଟି ଡିମେରିଟ୍ ପଏଣ୍ଟ ହୋଇଯାଏ, ତେବେ ତାଙ୍କୁ ଗୋଟିଏ ଟେଷ୍ଟ କିମ୍ବା ଦୁଇଟି ସୀମିତ ଓଭର ମ୍ୟାଚ୍ (ଦିନିକିଆ ବା ଟି-୨୦) ପାଇଁ ବାସନ୍ଦ କରି ଦିଆଯାଏ । ତେଣୁ ବୁମରାହ ଏହି ତାଲିକାରେ ନିଜ ନାମରେ ଏକ ଡିମେରିଟ ପଏଣ୍ଟ ଯୋଡ଼ି ସାରିଛନ୍ତି । ତେଣୁ ଆଗାମୀ ୨ ବର୍ଷ ମଧ୍ୟରେ ଆଉ ୩ଟି ଏଭଳି ଭୁଲ କଲେ ବୁମରାହଙ୍କୁ ମଧ୍ୟ ବ୍ୟାନ୍ ଆଦେଶ ଦେଇପାରେ ଆଇସିସି ।

Get real time updates directly on you device, subscribe now.