fbpx

IPL-2024ରେ ଭାଙ୍ଗିଯିବ କି ରାହୁଲ-ଗମ୍ଭୀର ଯୋଡ଼ି? ଲକ୍ଷ୍ନୌ ଟିମ୍ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଆଇପିଏଲ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଗୌତମ ଗମ୍ଭୀରଙ୍କ ପଦବୀ ଉପରେ ବିପଦ ସୃଷ୍ଟି ହୋଇଛି । ଆଇପିଏଲ-୨୦୨୪ ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ନେଇଛି ଏକ ବଡ ପଦକ୍ଷେପ । ତେବେ ଦଳର ଏହି ନିଷ୍ପତ୍ତି ପରେ ଭାଙ୍ଗି ଯାଇପାରେ ଦୁଇ ବର୍ଷର ଏକ ମଜବୁତ ସମ୍ପର୍କ । ଅଧିନାୟକ କେ.ଏଲ ରାହୁଲ ଏବଂ ମେଣ୍ଟର ଗୌତମ ଗମ୍ଭୀରଙ୍କ ଯୋଡ଼ି ଅଲଗା ହୋଇପାରନ୍ତି ବୋଲି ଆଶଙ୍କା ଦେଖା ଦେଇଛି । କାରଣ ଆଇପିଏଲ-୨୦୨୪ ପାଇଁ ନୂଆ ସଦସ୍ୟଙ୍କୁ ଦଳରେ ସାମିଲ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ ।

୨୦୨୨ମସିହାରେ ଆଇପିଏଲ ସହ ଯୋଡି ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସରେ ମେଣ୍ଟର ଭୂମିକାରେ ନଜର ଆସୁଛନ୍ତି ଗୌତମ ଗମ୍ଭୀର । ତେବେ ଦଳ ଏପର୍ଯ୍ୟନ୍ତ ଟ୍ରଫି ଜିତିବାରେ ସଫଳ ହୋଇ ପାରି ନଥିବା ବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଓପନର ଜଷ୍ଟିନ ଲାଙ୍ଗରଙ୍କୁ ଦଳରେ ମୁଖ୍ୟ କୋଚ ଭାବରେ ସାମିଲ କରାଯାଇଛି । ଅର୍ଥାତ୍ ଆସନ୍ତା ଆଇପିଏଲ ସିଜନରୁ ଆଣ୍ଡି ଫ୍ଲାୱାରଙ୍କ ସ୍ଥାନରେ ଜଷ୍ଟିନ ଲାଙ୍ଗର ଦଳର କୋଚ ଦାୟିତ୍ୱ ନିର୍ବାହ କରିବେ । ଏ ନେଇ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ ପକ୍ଷରୁ ଘୋଷଣା କରାଯାଇଛି । ଆଣ୍ଡି ଫ୍ଲାୱାରଙ୍କ ସହ ଦୁଇ ବର୍ଷର ଚୁକ୍ତି ଶେଷ ହେବା ପରେ ଦଳରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ତେବେ ସୁପର ଜିଆଣ୍ଟସର ଏହି ନିଷ୍ପତ୍ତି ମେଣ୍ଟର ପଦରେ ଥିବା ଗୌତମ ଗମ୍ଭୀରଙ୍କ ଆସନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ସୂଚନା ଥାଉ କି, ଦଳର ନବନିଯୁକ୍ତ ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର ପୂର୍ବରୁ ଅଷ୍ଟ୍ରେଲିଆର କୋଚ୍ ଦାୟିତ୍ୱରେ ରହି ସାରିଛନ୍ତି । ୨୦୧୮ରେ ଜଷ୍ଟିନ ଲାଙ୍ଗର ଏହି ଦାୟିତ୍ୱ ନେଇଥିବା ବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ଅଷ୍ଟ୍ରେଲିଆ ଅନେକ ସଫଳତା ହାସଲ କରିଛି । ଆସେଜ ସିରିଜରେ ଇଂଲଣ୍ଡକୁ ମାତ୍ ଦେବା ପରେ ୨୦୨୧ରେ ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ଚମ୍ପିଆନ୍ ପାଲଟିଛି । ଏହାବ୍ୟତୀତ ପର୍ଥ ସ୍କଚର୍ସ ଲାଭ୍ଗରଙ୍କ ମାର୍ଗଦର୍ଶନରେ ୩ଥର ବିଗ ବାଶ ଲିଗରେ ଚମ୍ପିଆନର ମୁକୁଟ ପିନ୍ଧିଛି ।

Get real time updates directly on you device, subscribe now.