fbpx

ଖୋଲିବ କି ରାଜ ପରିବାରର ଗୁମର ? ବଲାଙ୍ଗୀର ଟାଉନ୍ ଥାନାର ଦ୍ୱାରସ୍ଥ ହେଲେ ବୋହୁ ଅଦ୍ରୀଜା ମଞ୍ଜରୀ

ବଲାଙ୍ଗିର : ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର । ରାଜନୀତି ନୁହେଁ ବୋହୂ ନିର୍ଯାତନା ମାମଲା ନେଇ ଏବେ ଚର୍ଚ୍ଚାରେ । ରାଜ ପରିବାରରେ ବୋହୂ ନିର୍ଯାତନା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଦୀର୍ଘ ଦିନରୁ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ଅଦ୍ରୀଜା ଅର୍କେଶ କଳି ମାମଲା ଏବେ ବଲାଙ୍ଗିର ଥାନାରେ ପହଁଞ୍ଚିଛି । ଆଜି ବଲାଙ୍ଗିର ଟାଉନ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଦ୍ରୀଜା । ଏହା ପୂର୍ବରୁ ସେ ଡ଼େରାଡ଼ୁନ୍ ରାଜପୁର ଥାନାରେ ଏତଲା ଦେଇଥିଲେ । ନିଜେ ସାନ ବୋହୂ ବଲାଙ୍ଗିର ରାଜ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛିନ୍ତି ଅଦ୍ରୀଜା ସିଂହଦେଓ । ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହଦେଓ ଏବେ ଶଶୁର ଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ୨୦୧୭ ମସିହା ନଭେମ୍ବର୍ ମାସରେ ଅର୍କେଶ ସିଂହଦେଓ ଅଦ୍ରୀଜାଙ୍କୁ ବିବାହ କରିଥିଲେ । ହେଲେ ବିବାହ ପର ଠାରୁ ତାଙ୍କୁ ଶଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏପରିକି ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ଅଦ୍ରୀଜା ସିଂହଦେଓ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ସୁରକ୍ଷା ଦେବା ପାଇଁ ସେ ଉତ୍ତରାଖଣ୍ଡ ଡିଜିପିଙ୍କ ନିକଟରେ ଗୁହାରି କରିଥିଲେ । ଅଦ୍ରୀଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂହଙ୍କ ନାତୁଣୀ ହୋଇଥିବା ବେଳେ ଅର୍କେଶ ନାରାୟଣ ସିଂହଦେଓ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବଲାଙ୍ଗିର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି । ତେବେ ବୈବାହିକ ଜୀବନରେ ଜୁଆର ଉଠିବା ପରେ ଏବେ ଅଡୁଆରେ ଅର୍କେଶ ସିଂହଦେଓ । ବଲାଙ୍ଗିର ରାଜନୀତିରେ ସକ୍ରିୟ ରହିଥିବା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓଙ୍କର ଗତ ୮ ମାସରୁ ଅଧିକ ସମୟ ହେବ ଦେଖା ଦର୍ଶନ ନାହିଁ । ପାରିବାରିକ ବିବାଦ ଯୋଗୁଁ ଅର୍କେଶ ବଲାଙ୍ଗିରରୁ ବାହାରକୁ ପଳାଇ ଯାଇଛନ୍ତି । ଏହି ବିବାଦ ଯୋଗୁଁ ଅର୍କେଶ ବଲାଙ୍ଗିର ରାଜନୀତିରୁ ଅଳ୍ପ ଦୁରେଇ ଯାଇଛନ୍ତି ।

ହେଲେ ଆଜି ହଠାତ ଅଦ୍ରୀଜା ମଞ୍ଜରୀ ସିଂଦେଓ ବଲାଙ୍ଗିର ଆଦର୍ଶ ଟାଉନ୍ ଥାନାରେ ପହଞ୍ଚି ଥିଲେ। ଅଦ୍ରୀଜା ମଞ୍ଜରୀ ନିଜ ଜିନିଷ ପତ୍ର ବଲାଙ୍ଗିର ରାଜ ପରିବାରର ପ୍ୟାଲେଶରୁ ନେବାପାଇଁ ତଥା ନିଜ ସୁରକ୍ଷା ପାଇଁ ପୂର୍ବରୁ ବଲାଙ୍ଗିର ଏସ୍ପିଙ୍କ ନିକଟକୁ ଲିଖିତ ଭାବେ ଜଣାଇଥିଲେ। ଆଜି ବଲାଙ୍ଗୀର ପହଁଚି ନିଜ ସୁରକ୍ଷା ପାଇଁ ଟାଉନ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ହେଲେ ତାଙ୍କ ସ୍ତ୍ରୀ ଅଦ୍ରୀଜା ନିର୍ଯାତନା ଅଭିଯୋଗ ଆଣିବା ପରେ ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର ହୋଇଯାଇଛି । ଅଦ୍ରୀଜା ମଞ୍ଜରୀ ବଲାଙ୍ଗିର ପହଞ୍ଚିବା ପରେ ରାଜଘରର ଗୁମର ଜନସାଧାରଣରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Get real time updates directly on you device, subscribe now.