ବାରଙ୍ଗରେ ମହିଳାଙ୍କୁ ମାରିଲା ବୁଲା ଷଣ୍ଢ, କାବୁ କଲେ ଗାଁ ଲୋକେ ଓ ରେସ୍କ୍ୟୁ ଟିମ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ଅଞ୍ଚଳର ରୋକୋଟ ଗ୍ରାମରେ ବୁଲା ଷଣ୍ଢ ଆକ୍ରମଣର ଶିକାର ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ରବିବାର ଦିନ ସେହି ଅଞ୍ଚଳରେ ମହିଳାଙ୍କୁ ଏକ ବୁଲା ଷଣ୍ଢ ଭୁସି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ବଢ଼ୁଛି ଷଣ୍ଢ ଉତ୍ପାତ: ବାରମ୍ବାର ଅଭିଯୋଗ ସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ ସେମାନଙ୍କ ଅଞ୍ଚଳରେ ବୁଲା ଷଣ୍ଢଙ୍କ ଉପଦ୍ରବ ରୋକିବା ଦିଗରେ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ମୃତ୍ୟୁ ପରେ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପଟିଆ ଷ୍ଟେସନ ଓ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଥିଲେ।

ସେମାନେ ଅଭିଯୋଗ କରିଛନ୍ତି ଯେ ସପ୍ତାହକ ତଳେ ଏହି ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ୫ ଜଣ ଆହତ ହୋଇଥିଲେ। ମାରଣା ଷଣ୍ଢକୁ କାବୁ କରିବାକୁ ଗାଁ ଲୋକେ ଓ ରେସ୍କ୍ୟୁ ଟିମ ପକ୍ଷରୁ ଝାଳବୁହା ଉଦ୍ୟମ କରାଯାଇଥିଲା।

ଅନେକ ସମୟ ପରେ ଧରା ପଡ଼ିଲା ମାରଣା ଷଣ୍ଢ। କାବୁ କଲେ ଗାଁ ଲୋକେ ଓ ରେସ୍କ୍ୟୁ ଟିମ।