ଭୁବନେଶ୍ବର: ଅନୁଗୁଳରେ ଥମିବାର ନାଁ ନେଉନାହିଁ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା । ପୁଣି ଜଣେ ମହିଳାଙ୍କର ଜୀବନ ନେଲା ହାତୀ । ବିଲକୁ ଯାଉଥିବା ବେଳେ ଟେକି ଛେଚି ଦେଲା ଦନ୍ତା । ଫଳରେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳାଙ୍କର ନାମ ମନ୍ଦୋଦରୀ ସାହୁ ହୋଇଥିବା ବେଳେ ତାଙ୍କ ବୟସ 48 ବର୍ଷ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା ।
ସୂଚନା ଅନୁସାରେ, ଆଜି ସକାଳୁ ମନ୍ଦୋଦରୀ ଧାନ କାଟିବା ପାଇଁ ବିଲକୁ ଯାଉଥିଲେ । ଏହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ । ତେବେ ବର୍ତ୍ତିବା ପାଇଁ ମନ୍ଦିରି ସତଃ ଚେଷ୍ଟା କରିଥିଲେ ହେଁ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ତେବେ ବାରମ୍ବାର ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହେଉଥିବା କାରଣରୁ ଗ୍ରାମବାସୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି । ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ବାରମ୍ବାର ହାତୀ ମଣିଷଙ୍କର ଜୀବନ ନେଉଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାସଂପର୍କରେ ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।