ମହିଳାମାନେ ବାହାରକୁ ଏକା ଯିବେ ନାହିଁ, ପୁରୁଷ ଦାଢ଼ି ରଖିବାକୁ ବାଧ୍ୟ; ତାଲିବାନର ନୂଆ ନିୟମ

କାବୁଲ: ଆଫଗାନିସ୍ତାନରୁ ଆମେରିକୀ ସେନାର ପ୍ରତ୍ୟାହାର ପରେ ପୁଣିଥରେ ସେଠାରେ ବିଭିନ୍ନ ଅଞ୍ଚଳରେ ତାଲିବାନ୍ ମାନଙ୍କ କବଜା କରିବା ଆରମ୍ଭ କରିଦେଇଛନ୍ତି । ତାଲିବାନ୍ ମାନେ ଆଫଗାନିସ୍ତାନର କିଛି ଇଲାକାରେ ନିଜର ନିୟମ କାନୁନ୍ ଲାଗୁ କରିସାରିଲେଣି । ଏହି କ୍ରମରେ ମହିଳା ମାନଙ୍କ ପ୍ରତି ନିୟମ କାନୁନ୍ କୁ କଠିନ କରିଦିଆଯାଇଛି । ନିୟମାନୁସାରେ ସେମାନେ ଘରୁ ବାହାରକୁ ଏକା ବାହାରି ପାରିବେ ନାହିଁ । ଅନ୍ୟପଟେ ପୁରୁଷ ମାନେ ଦାଢ଼ି କାଟିପାରିବେ ନାହିଁ ବୋଲି କୁହାଯାଇଛି ।

ତାଲିବାନ ଆଫଗାନିସ୍ତାନର ୪୧୯ ଟି ଜିଲ୍ଲା ମଧ୍ୟରୁ ୧୪୦ ରୁ ଅଧିକ ଦଖଲ କରିଥିବା ଦାବି କରିଛି। ତାଲିବାନ ଉତ୍ତର-ପୂର୍ବାଞ୍ଚଳ ତଖାର ସମେତ ନିଜ ଅଧୀନରେ ଥିବା ଜିଲ୍ଲାଗୁଡ଼ିକରେ ନୂତନ ନିୟମ ଲାଗୁ କରିଛି। ଏନେଇ ଆଫଗାନିସ୍ତାନ ଗଣମାଧ୍ୟମରୁ ସୂଚନା ମିଳିଛି । ଉକ୍ତ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ କହିବା ମୁତାବକ, ଝିଅ ମାନଙ୍କୁ ଯୌତୁକ ଦେବା ଉପରେ ନୂଆ ନିୟମ ଲାଗୁ କରାଯାଇଛି । ଖାଲି ସେତିକି ନୁହେଁ ତାଲିବାନ ମାନେ ବିନା କୌଣସି ପ୍ରମାଣରେ ମକଦ୍ଦମା ଚଲାଇବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସ୍କୁଲ୍, କ୍ଲିନିକ୍ ଇତ୍ୟାଦିକୁ ବନ୍ଦ କରିଦିଆଯାଇଛି । ଏମିତିକି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ବି ବୃଦ୍ଧି କରିଦିଆଯାଇଛି ।

୫୦ ହଜାରରୁ ଅଧିକ ଆଫଗାନିସ୍ତାନ ନାଗରିକ ଦେଶ ଛାଡିବାକୁ ଚାହୁଁଛନ୍ତି । ଆମେରିକାର ସୈନ୍ୟବାହିନୀକୁ ସାହାଯ୍ୟ କରୁଥିବା ଅନୁବାଦକଙ୍କ ସମେତ ଅନ୍ୟ ଆଫଗାନିସ୍ତାନର ନାଗରିକ ମାନେ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ଯୋଜନା କରୁଛନ୍ତି । ଆମେରିକା ଏଥିରେ ସାହାଯ୍ୟ କରୁଛି । ମଧ୍ୟ-ଏସିଆର ତିନୋଟି ଦେଶ – କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସହିତ ଏହି ମାମଲାରେ ଆଲୋଚନା ଚାଲିଛି ।